ଏମିତି ଗାଁ: ଯେଉଁଠି ମୋବାଇଲ୍ ନେଟ୍ୱର୍କ ନ ଥିବାରୁ ହୋଇପାରୁନି ବିବାହ

ମଧ୍ୟପ୍ରଦେଶ: ମୋବାଇଲ୍ ଫୋନ୍ ଆଜିକାଲି ଲୋକମାନଙ୍କ ଜୀବନର ଅପରିହାର୍ଯ୍ୟ ଆବଶ୍ୟକତା ପାଲଟିଛି । ଏପରିସ୍ଥଳେ ମୋବାଇଲ୍ ନେଟ୍ୱର୍କ ନ ଥିବାରୁ ମଧ୍ୟପ୍ରଦେଶ ସିୱନି ଜିଲ୍ଲା ନୟେଗାଓଁର ଯୁବକମାନଙ୍କର ବିବାହ ହୋଇପାରୁନାହିଁ । ସେମାନଙ୍କର ବିବାହ ପ୍ରସ୍ତାବ ଆଗକୁ ବଢ଼ିବା ପରେ ମୋବାଇଲ୍ ନେଟ୍ୱର୍କ ନଥିବା କଥା ଶୁଣି କନ୍ୟାପକ୍ଷ ସ୍ପଷ୍ଟ ଭାବେ ମନା କରିଦେଉଛନ୍ତି ।
ନୟେଗାଓଁ କୁରଇ ବ୍ଲକ୍ର ଅଂଶବିଶେଷ । ଏହା ପେଞ୍ଚବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନ୍ ମଧ୍ୟରେ ଆସିଥାଏ । ଗାଁର ଜନସଂଖ୍ୟା ପ୍ରାୟ ୬୫୦ । କିନ୍ତୁ ସେଠାରେ ପ୍ରାୟତଃ ମୋବାଇଲ୍ ନେଟ୍ୱର୍କ ଆସି ନ ଥାଏ । କୌଣସି ଟେଲିକମ୍ କଂପାନିର ସିଗ୍ନାଲ ପହଞ୍ଚ ି ନ ଥାଏ । ଖାସ୍ ସେଥିଲାଗି କେବଳ ମୋବାଇଲ୍ରେ କଥା ହେବାକୁ ଗ୍ରାମବାସୀ ୩ କିମି ଦୂର ଯାଇଥାନ୍ତି । ଏହା ସେଠାକାର ଏକ ବଡ଼ ସମସ୍ୟା ପାଲଟିଥିବାବେଳେ ସେଥିଯୋଗୁ ଗାଁର ଅନେକ ଯୁବକଙ୍କର ବାହାଘର ଅଟକି ରହିଛି । କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀମାନଙ୍କର ଅନ୍ଲାଇନ୍ ପାଠପଢ଼ା, ସରକାରୀ ଯୋଜନାର ସୂଚନା ଓ ଜରୁରିକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଛି ।
ନିଜର ୨୯ ବର୍ଷୀୟ ପୁଅଙ୍କ ଲାଗି କନ୍ୟା ଖୋଜୁଥିବା ଶ୍ୟାମା ବାଇ କହିଛନ୍ତି, କେହି ତାଙ୍କ ପୁଅଙ୍କୁ ଝିଅ ଦେବାକୁ ରାଜି ହେଉନାହାନ୍ତି । ସେହି ଜଙ୍ଗଲିଆ ଅଞ୍ଚଳରେ ମୋବାଇଲ୍ ନେଟ୍ୱର୍କ ନଥିବାରୁ ଝିଅ ବିବାହ ପରେ ନିଜ ବାପଘର ଲୋକଙ୍କ ସହ କିଭଳି କଥା ହେବ ବୋଲି କନ୍ୟାପକ୍ଷ ପ୍ରଶ୍ନ କରୁଛନ୍ତି । ଗାଁ ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ ଦୁବେ କହିଛନ୍ତି, ପିଲାଙ୍କୁ ଅନ୍ଲାଇନ୍ରେ ପଢ଼ାଇବା କଷ୍ଟକର ହୋଇପଡୁଛି । କୌଣସି ସରକାରୀ ସୂଚନା ପାଇଁ ଆମେ ନିକଟବର୍ତ୍ତୀ ଗାଁକୁ ଯାଉଛୁ । ଅନ୍ୟପଟେ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟର ଉପନିର୍ଦ୍ଦେଶକ ରଜନୀଶ କୁମାର ସିଂହ କହିଛନ୍ତି, କେନ୍ଦ୍ର ସରକାର କଭରେଜ୍ହୀନ ବନଗ୍ରାମକୁ ପ୍ରାଥମିକତା ଦେଇ ମୋବାଇଲ୍ ଟାୱାର ଲଗାଇବାର ଯୋଜନା କରିଛନ୍ତି । ନିକଟରେ ବିଏସଏନ୍ଏଲ୍ ୪ଟି ଗାଁରେ ମୋବାଇଲ୍ ଟାୱାର ଲଗାଇଛି । ନୟେଗାଓଁ ଆଗାମୀ ପର୍ଯ୍ୟାୟରେ ସେଥିରେ ସାମିଲ ହେବ ବୋଲି ଆଶା ରହିଛି ।