ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟଙ୍କୁ ପିଟି ପିଟି ଲହୁଲୁହାଣ କଲେ ଯୁବକ

ଭୁବନେଶ୍ବର: ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟଙ୍କୁ ପିଟି ପିଟି ଲହୁଲୁହାଣ କଲେ ଯୁବକ। ଇଭେଣ୍ଟ ସାରି ଫେରୁଥିବା ବେଳେ ରାତି ୧୨ଟାରେ ଘଟିଥିଲା ଏହି ଘଟଣା। ଘଟଣାଟି ଅଗଷ୍ଟ ୩ତାରିଖର ହୋଇଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି। ଘଟଣାର ସିସିଟିଭି ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। କୁହାଯାଉଛି ଯେ, ଅଭିଯୁକ୍ତ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ। ପୀଡ଼ିତଙ୍କ ନାମ ଯଯାତି ପାରେଖ ହୋଇଥିବା ବେଳେ ଅଭିଯୁକ୍ତର ନାମ ଅଶ୍ୱତ୍ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଆର୍କେଡ ଲିଫ୍ଟ ଭିତରେ। ଅଗଷ୍ଟ ୩ତାରିଖ ରାତି ୧୨ଟାରେ ରୟାଲ ଆର୍କେଡର ଷଷ୍ଠ ମହାଲାରେ ଥିବା ଏକ ବାରରେ ଇଭେଣ୍ଟ ସାରି ଲିପ୍ଟରେ ତଳକୁ ଆସୁଥିଲେ ଯଯାତି। ଏହି ସମୟରେ ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ସହ କୌଣସି କଥାକୁ ନେଇ ଯଯାତିଙ୍କ ଝଗଡ଼ା ହୋଇଥିଲା, ଯେଉଁଥିରେ ଅଶ୍ୱତ୍ ଉତକ୍ଷୀପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ। ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଶ୍ବତ୍। ଏ ନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ଅଶ୍ଵତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।




