ଛାଡ଼ପତ୍ର ଖୁସିରେ ପତ୍ନୀଙ୍କ ପ୍ରତିମୂର୍ତ୍ତି ଧରି ନାଚିଲେ ଯୁବକ
ନୂଆଦିଲ୍ଲୀ : ଭାରତୀୟ ପରମ୍ପରାରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର । ଅଗ୍ନିକୁ ସାକ୍ଷୀ ରଖି ପରସ୍ପର ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି । ଯାହା ହେଉଛି ଭାରତୀୟ ପରମ୍ପରାର ପ୍ରତିଫଳନ । ତେବେ ବଦଳୁଥିବା ମାନସିକତା ଆଧାରରେ ଏହି ସମ୍ପର୍କରେ ଏବେ ଫାଟ ଦେଖିବାକୁ ମିଳୁଛି । ମତାନ୍ତର ଓ ମନାନ୍ତର କାରଣରୁ ଛୋଟ ଛୋଟ କଥା ନେଇ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଶୀଘ୍ର ତୁଟିଯାଉଛି । ଭାରତୀୟ ପରମ୍ପରାରେ ଏଭଳି ଘଟଣା କମ ଥିବା ବେଳେ ବିଦେଶରେ କିନ୍ତୁ ଏହା ହେଉଛି ସାଧାରଣ ଘଟଣା । ବିବାହ କରିବା ଓ ପରସ୍ପରକୁ ସହମତି ଭିତ୍ତିରେ ଛାଡ଼ପତ୍ର ଦେବା ଭାରତୀୟ ବାହାରର ପରମ୍ପରା ହୋଇଥିବା ବେଳେ ଏବେ ସେଥିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଦେଖିବାକୁ ମିଳୁଛି ଯେ, ଛାଡ଼ପତ୍ର ମଞ୍ଜୁରୀ ପରେ ଉଭୟେ ପୁରୁଷ ଓ ମହିଳା ଖୁସି ମନାଉଛନ୍ତି ଓ ପାର୍ଟି ଆୟୋଜନ କରୁଛନ୍ତି । ତେବେ ହରିଆଣାର ଜଣେ ଯୁବକ ତାଙ୍କ ବିବାହ ବିଚ୍ଛେଦ ଖୁସିରେ ପାର୍ଟି ଦେଇଥିବା ଜଣାପଡ଼ିଛି ।
ମନ୍ଜିତ ନାମକ ଜଣେ ଯୁବକ ହରିଆଣାରେ ରୁହନ୍ତି । ସେ ୨୦୨୦ ମସିହାରେ କୋମଲଙ୍କୁ ବିବାହ କରିଥିଲେ । ବିବାହ ପରେ କିଛି ଦିନ ଉଭୟଙ୍କ ଖୁସିରେ ଦିନ କଟିଥିଲା । ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲା । ଦିନକୁ ଦିନ ସଂପର୍କରେ ଜଟିଳତା ବଢ଼ିବା କାରଣରୁ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ଚଳିତବର୍ଷ ଛାଡ଼ପତ୍ର ନେଇଛନ୍ତି । ସବୁଠୁ ବଡ଼ କଥା ଛାଡ଼ପତ୍ର ପରେ ମନଜିତ୍ ଏକ ବିବାହ ବିଚ୍ଛେଦ ପାର୍ଟି ରଖିଥିଲେ । ସେଥିରେ ତାଙ୍କର ବିବାହ ସମୟର ଫଟୋ, ବିବାହ ତାରିଖ ସହିତ ଛାଡ଼ପତ୍ରର ତାରିଖ ଥିବା ପୋଷ୍ଟର ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ସେ କେକ୍ କାଟି ଖୁସି ମନାଇଥିଲେ ।
କେବଳ ସେତିକି ନୁହେଁ, ସେ ପାର୍ଟିକୁ ଏକ ପ୍ରତିମୂର୍ତ୍ତି ମଧ୍ୟ ଆଣିଥିଲେ, ଯାହାକି ତାଙ୍କର ପୂର୍ବତନ ପତ୍ନୀଙ୍କର ଥିଲା । ବେକରେ ଫୁଲମାଳ ପକାଇ ସେହି ପ୍ରତିମୂର୍ତ୍ତି ସହିତ ସେ ପୋଜ୍ ଦେଇ କିଛି ଫଟୋ ଉଠାଇଥିଲେ । ଏମିତି କି ସେହି ପ୍ରତିମୂର୍ତ୍ତିକୁ ଧରି ଡ଼୍ୟାନ୍ସ କରିଥିଲେ । ପରେ ଏହାର ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।