ବିହାରରେ କହ୍ନେୟା କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିପାରେ କଂଗ୍ରେସ !

ପାଟଣା: କହ୍ନେୟା କୁମାର ହୋଇପାରନ୍ତି ବିହାରର ମୁଖ୍ଯମନ୍ତ୍ରୀ ଚେହେରା । କଂଗ୍ରେସ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇପାରେ । ବିଗତ କିଛିମାସର ଘଟଣାକ୍ରମକୁ ଯଦି ଅନୁଶୀଳନ କରାଯାଏ ତାହାଲେ କହ୍ନେୟାଙ୍କୁ ନେଇ ହେଉଥିବା ଚର୍ଚ୍ଚା ସତ ବୋଲି ଭବିଷ୍ୟତରେ ପ୍ରମାଣିତ ବି ହୋଇପାରେ
ତେବେ ଚଳିତ ବର୍ଷ ଶେଷ ଆଡ଼କୁ ବିହାରର ନୂଆ ମୁଖ୍ୟମନ୍ତ୍ରୀ ବାଛିବେ ଭୋଟର । ନିର୍ବାଚନ ପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିବାରେ ଲାଗିଲେଣି ସବୁ ରାଜନୈତିକ ଦଳ । ନୀତିଶଙ୍କ ଜେଡିୟୁ ଏଥର ବିଜେପି ସହ ମିଶି ନିର୍ବାଚନ ଲଢ଼ିବ । ଏହାକୁ ନେଇ ଖୋଦ ଅମିତ ଶାହ ସ୍ପଷ୍ଟ କରି ସାରିଛନ୍ତି । ସେପଟେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମଧ୍ୟ କ୍ଷମତା ହାସଲ କରିବାକୁ ଜୋର୍ ଲଗାଇବ । ବିଗତ ନିର୍ବାଚନ ଗୁଡ଼ିକରେ ଏହି ଦୁଇ ଦଳ ହିଁ ଜଲୱା ଦେଖାଇ ଥିଲେ । ହେଲେ ଏଥର କଂଗ୍ରେସ ବିହାରରେ ସବୁ ଗଣିତ ଭୁଲ ପ୍ରମାଣିତ କରିପାରେ । କାରଣ ନିର୍ବାଚନକୁ ଆହୁରି ୬ରୁ ୭ ମାସ ବାକି ଥିବା ବେଳେ ଏବେଠାରୁ କଂଗ୍ରେସ କ୍ୟାମ୍ପ୍ ଚଳଚଞ୍ଚଳ ହୋଇ ଉଠିଲାଣି ।
ସବଠାରୁ ବଡ଼ କଥା ହେଉଛି ବିହାରରେ କଂଗ୍ରେସର ସବୁ ସଭା ସମିତିରେ କହ୍ନେୟା କୁମାରଙ୍କ ସକ୍ରିୟ ଭୂମିକା ଦେଖିବାକୁ ମିଳୁଛି । ନିଜେ ରାହୁଲ ଗାନ୍ଧୀ ଗତ ୩ ମାସ ମଧ୍ୟରେ ତୃତୀୟ ଥର ପାଇଁ କହ୍ନେୟା କୁମାରଙ୍କ ସହ ନଜର ଆସିଲେଣି । ଏଣୁ ଆକଳନ କରାଯାଉଛି ଯେ, ଏଥର ବିହାରରେ କହ୍ନେୟା କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିପାରେ କଂଗ୍ରେସ । ହେଲେ ଏହାକୁ ନେଇ ଏଯାଏଁ କଂଗ୍ରେସ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ ।
ରାହୁଲ ଗାନ୍ଧୀ ଓ କହ୍ନେୟା କୁମାରଙ୍କ ଯେଉଁଭଳି ଯୁଗଳବନ୍ଦୀ ଦେଖିବାକୁ ମିଳୁଛି, ଆଲୋଚନା ହେଉଛି କଂଗ୍ରେସର ଚିନ୍ତାଧାରା ଏବେ କମ୍ୟୁନିଷ୍ଟ ଆଡ଼କୁ ଢଳୁଛି । କୁହାଯାଉଛି କହ୍ନେୟା କୁମାରଙ୍କୁ ଚେହେରା କରି କଂଗ୍ରେସ ପରମ୍ପରାଗତ ଭୋଟ ହାସଲ କରିବାକୁ ଚାହୁଁଛି । କାରଣ କଂଗ୍ରେସ ବୁଝି ସାରିଛି ଯେ, ନିର୍ବାଚନୀ ବୈତରଣୀ ପାର୍ ହେବାକୁ ହେଲେ ଆରଜେଡି ଓ ଜେଡିୟୁ ଭୋଟ ବ୍ୟାଙ୍କ୍ ଉପରେ ନଜର ପକାଇବାକୁ ହେବ । କଂଗ୍ରେସର ମୁଖ୍ୟ ଫୋକସ୍ ଦଳିତ, ସବର୍ଣ୍ଣ ଭୋଟ ଉପରେ ରହିଛି ।
କହ୍ନେୟା କୁମାର ୨୦୧୯ ଲୋକସଭା ନିର୍ବାଚନରେ ବେଗୁସରାଇ ସଂସଦୀୟ ଆସନରୁ ପ୍ରାର୍ଥୀ ହୋଇଥିଲେ । ଏହାପରେ କହ୍ନେୟା କୁମାରଙ୍କୁ ସାରାଦେଶରେ ବିଜେପି ବିରୋଧୀ ନେତାଙ୍କ ସମର୍ଥନ ମିଳିଥିଲା । ଏହି ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗିରିରାଜ ସିଂହଙ୍କୁ ୬ ଲକ୍ଷ ୯୨ ହଜାର ଭୋଟ ମିଳିଥିଲା । ସେପଟେ କହ୍ନେୟା କୁମାରଙ୍କୁ ମିଳିଥିଲା ମାତ୍ର ୨ ଲକ୍ଷ ୬୯ ହଜାର ଭୋଟ । ଏହାପରେ ୨୦୨୪ରେ ଦିଲ୍ଲୀରେ ନର୍ଥ-ଇଷ୍ଟ ଆସନରେ ବି ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ଏଥିରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା, ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ତାଙ୍କୁ ୧ ଲକ୍ଷ ୩୮ ହଜାର ୭୭୮ ହଜାର ଭୋଟରେ ପରାଜିତ କରିଥିଲେ ।
ବେଗୁସରାଇରେ ବିଧାନସଭା ନିର୍ବାଚନ ଲଢ଼ି ବିହାର ଦଖଲ କରି ପାରିବେ ତ କହ୍ନେୟା କୁମାର । ତେଘଡ଼ା ବା ବଛୱାଡ଼ା ଆସନରୁ ସେ ପ୍ରାର୍ଥୀପତ୍ର ଦାଖଲ କରି ପାରନ୍ତି କହ୍ନେୟା କୁମାର । ଏଠାରେ ସିପିଆଇ ପ୍ରାର୍ଥୀଙ୍କୁ ମାତ୍ ଦେଇଛନ୍ତି ବିଜେପି ପ୍ରାର୍ଥୀ । ଏଣୁ ବିଜେପି ବିପକ୍ଷରେ ଲଢ଼ିବା କହ୍ନେୟା କୁମାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହେବ ନିଶ୍ଚୟ ।