ଦେଶ- ବିଦେଶ

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ : ଚାକିରିରେ ରହିବେ ୧୩ ହଜାରରୁ ଅଧିକ ‘ସଚ୍ଚୋଟ ଶିକ୍ଷକ’

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଚାକିରି ହରାଇଥିବା ୧୩ ହଜାରରୁ ଅଧିକ ସଚ୍ଚୋଟ ଶିକ୍ଷକ ସେମାନଙ୍କ ଚାକିରିରେ ରହିପାରିବେ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣିବେଳେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଚଳିତ ମାସ ଆରମ୍ଭରେ ଯେଉଁ ଶିକ୍ଷକମାନଙ୍କ ନିଯୁକ୍ତି ଅନିୟମିତତା ପାଇଁ ରଦ୍ଦ ହୋଇଛି ସେମାନେ ସଦ୍ୟ ଚୟନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ପାଠ ପଢ଼ାଇ ପାରିବେ ।

ଯେଉଁମାନଙ୍କ ନାଁ ୨୦୧୬ ନିଯୁକ୍ତି ଅନିୟମିତତା ଘଟଣାରେ ସମ୍ପୃକ୍ତ ନଥିବ, ସେହି ସଚ୍ଚୋଟ ଶିକ୍ଷକଙ୍କ ପାଇଁ କୋର୍ଟ ଏଭଳି ରାୟ ଦେଇଛନ୍ତି । କେବଳ ନବମ, ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ଶିକ୍ଷକମାନଙ୍କ ପାଇଁ ହିଁ ସୁପ୍ରିମକୋର୍ଟ ଏହି ଆଶ୍ବସ୍ତି ପ୍ରଦାନ କରିଛନ୍ତି । ତେବେ ସୁପ୍ରିମକୋର୍ଟ ସ୍କୁଲ୍‌ ସର୍ଭିସ କମିଶନ ପାଇଁ ଏକ ଡେଡଲାଇନ ଜାରି କରିଛନ୍ତି । ପ୍ରଧାନ ବିଚାରପତି ସଂଜୀବ ଖାନ୍ନା କହିଛନ୍ତି, ଏସ୍‌ଏସ୍‌ସି ସଦ୍ୟ ନିଯୁକ୍ତି ପ୍ରକ୍ରିୟା ପାଇଁ ମେ’ ୩୧ ତାରିଖ ସୁଦ୍ଧା ବିଜ୍ଞାପନ ଜାରି କରିବା ଉଚିତ ଏବଂ ଡିସେମ୍ବର ୩୧ ସୁଦ୍ଧା ଚୟନ ପ୍ରକ୍ରିୟା ଶେଷ ହେବା ଉଚିତ ।

ରାଜ୍ୟ ସରକ‌ାର ଏବଂ କମିଶନ ମେ’ ୩୧ ପୂର୍ବରୁ ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାକିରି ହରାଇଥିବା କିଛି ଶିକ୍ଷକ ସେମାନଙ୍କୁ ଚଳିତ ଶିକ୍ଷାବର୍ଷ ଶେଷ ପର୍ଯ୍ୟନ୍ତ ଏବଂ ସଦ୍ୟ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଚାକିରିରେ ରହିବାପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏବଂ ଜଷ୍ଟିସ ସଂଜୟ କୁମାରଙ୍କ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button