୧୫ ବଲ୍ରେ କୋହଲି ଆଉଟ୍ ; ନିରାଶ ହେଲେ ଦର୍ଶକ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଛି ରଣଜୀ ଟ୍ରଫି । ରେଲୱେ ବିପକ୍ଷରେ ଦିଲ୍ଲୀର ମୁକାବିଲାର ଦ୍ୱିତୀୟ ଦିନରେ ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି। ରଣଜୀ ଟ୍ରଫିକୁ ଲୋକେ ବହୁତ ଦିନ ହେବ ଅପେକ୍ଷା କରି ରହିଥିବା ବେଳେ ୧୨ ବର୍ଷ ପରେ ବିରାଟଙ୍କ ଲେଉଟାଣି ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଥିଲା। ହେଲେ ମ୍ୟାଚରେ ବିରାଟ ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଛନ୍ତି । ପରେ ଦର୍ଶକ ନିରାଶ ହୋଇ ଷ୍ଟାଡ଼ିୟମ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଖାଲି ହୋଇଯାଇଛି ପୁରା ଷ୍ଟାଡିୟମ।
ଷ୍ଟାଡିୟମରେ ଖେଳପ୍ରେମୀ ସେମାନଙ୍କ ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ୩୬ ବର୍ଷୀୟ ବିରାଟ ଖେଳିବାକୁ ଗଲା ବେଳେ ଷ୍ଟାଡିୟମ୍ “କୋହଲି, କୋହଲି” ଧ୍ୱନିରେ କମ୍ପି ଉଠିଥିଲା । ହେଲେ ୧୫ ବଲ୍ରେ ମାତ୍ର ଗୋଟାଏ ଚମତ୍କାର ବାଉଣ୍ଡରି ମାରି ଦର୍ଶକଙ୍କୁ ଖୁସି କରିବା ପରେ ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇଯାଇଥିଲେ। ହେଲେ ରେଲୱେ ପେସର୍ ହିମାଂଶୁ ସାଙ୍ଗୱାନଙ୍କ ଦ୍ୱାରା କୋହଲି ବୋଲ୍ଡ ହେବା ପରେ ଧୀରେ ଧୀରେ ଷ୍ଟାଡିୟମ୍ ଫାଙ୍କା ହୋଇ ଯାଇଥିଲା। ୧୨ ବର୍ଷ ପରେ ଘରୋଇ କ୍ରିକେଟକୁ ଫେରିଥିବା କୋହଲି ଦିଲ୍ଲୀର ଇନିଂସକୁ ଆଗକୁ ବଢ଼ାଇବେ ବୋଲି ଆଶା କରାଯାଉଥିଲା। ହେଲେ ସେ ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି ।