ସାଧାରଣ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ଗୁୁରୁତ୍ୱ ଦେଉ ନ ଥିଲା ପ୍ରଶାସନ

ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣା ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣାରେ ମୃତ ଶ୍ରଦ୍ଧାଳୁଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦାୟକ। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଏହି ଦୁଃଖଦ ଘଟଣା ପାଇଁ ରାହୁଲ ପ୍ରଶାସନର ପରିଚାଳନାକୁ ଦାୟୀ କରିଛନ୍ତି। ସେ କହିଛନ୍ତି , ପ୍ରଶାସନ ସାଧାରଣ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଆବଶ୍ୟକତା ଅପେକ୍ଷା ଭିଆଇପି ଗତିବିଧି ଉପରେ ଅଧିକ ଧ୍ୟାନ ଦେଇଥିଲା, ଯାହା ଫଳରେ ଏପରି ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାକୁମ୍ଭ ଭଳି କାର୍ଯ୍ୟକ୍ରମରେ ପ୍ରଶାସନ ସାଧାରଣ ଭକ୍ତଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଉଚିତ୍ ଥିଲା।
ରାହୁଲ ଆହୁରି କହିଛନ୍ତି , ମହାକୁମ୍ଭ ଏବେ ବି ଚାଲିଛି ଏବଂ ଅନେକ ମହାସ୍ନାନ ହେବାକୁ ବାକି ଅଛି। ଏପରି ପରିସ୍ଥିତିରେ, ଭବିଷ୍ୟତରେ ଏପରି ଘଟଣା ଯେପରି ନ ଘଟେ, ସେଥିପାଇଁ ସରକାରଙ୍କୁ ଶୀଘ୍ର ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପଡିବ। ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ ଭିଆଇପି ସଂସ୍କୃତି ଉପରେ ରୋକ ଲଗାଯାଉ ଏବଂ ସରକାର ସାଧାରଣ ଭକ୍ତଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବା ଉଚିତ୍।