ମନୋରଞ୍ଜନ

ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର: ଚିରନିଦ୍ରାରେ ଦଣ୍ଡାବାଳୁଙ୍ଗା । ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେଲା ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ ଦଣ୍ଡାବାଳୁଙ୍ଗା ଭାବେ ବେଶ୍ ପରିଚିତ । ଉତ୍ତମ ମହାନ୍ତି ଏକମାତ୍ର ଓଡ଼ିଆ ଅଭିନେତା ଥିଲେ ଯିଏ ୧୯୮୨, ୧୯୮୩ ଏବଂ ୧୯୮୪ ରେ ଲଗାତାର ତିନି ବର୍ଷ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।

୧୯୯୯ ରେ, ତାଙ୍କୁ ପ୍ରତିଷ୍ଠିତ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୨୦୧୨ ରେ ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର, ଫୁଲ ଚନ୍ଦନ, ଝିଅଟି ସୀତା ପାରି, ଦଣ୍ଡା ବାଳୁଙ୍ଗା ଏବଂ ସୁନା ଚଢେଇ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ‘ତୋ ବିନୁ ଅନ୍ୟ ଗତି ନାହିଁ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କୁ ୧୯୯୯ ରେ ସବୁଠାରୁ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ, ସେ ଚିତ୍ରପୁରୀ, ବାଣୀଚିତ୍ର, ଚଳଚ୍ଚିତ୍ର ଜଗତ ପୁରସ୍କାର ପାଇଛନ୍ତି। ସେ ୨୦୦୮ରେ ୫ମ ଫିଟ୍‌ଫାଟ୍ ବାଇସ୍କୋପ ପୁରସ୍କାର ମଧ୍ୟ ପାଇଛନ୍ତି।

ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମ ହୋଇଥିଲେ ଉତ୍ତମ ମହାନ୍ତି। ସେ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ। ତାଙ୍କ ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡିର ଅଭିନେତା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button