‘ମେଡିସିନ୍ ବାବା’: ଯିଏ ଗରିବଙ୍କ ଲାଗି ଘର ଘର ବୁଲି ସଂଗ୍ରହ କରନ୍ତି ଔଷଧ

ନୂଆଦିଲ୍ଲୀ : ସାଧାରଣତଃ ବାବା କହିଲେ ମନକୁ ଆସେ କେହି ଧାର୍ମିକ କାମ କରୁଥିବେ । କିନ୍ତୁ ଦିଲ୍ଲୀରେ ଏମିତି ଜଣେ ବାବା ଅଛନ୍ତି, ଯିଏ ଧର୍ମ, ଜାତି ଉପରକୁ ଯାଇ ମାନବଧର୍ମ ବିଷୟରେ ଚିନ୍ତା କରନ୍ତି । ଗରିବ ଲୋକଙ୍କୁ ସହାୟତାର ହାତ ବଢାନ୍ତି । ସେ ହେଉଛନ୍ତି ମେଡ଼ିସିନ ବାବା । ଦିଲ୍ଲୀର ଏହି ୮୮ ବର୍ଷୀୟ ମେଡ଼ିସିନ୍ ବାବାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ଗରିବଙ୍କ ପାଇଁ ସେ ଘର ଘର ବୁଲି ଔଷଧ ସଂଗ୍ରହ କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ପ୍ରତିବର୍ଷ ସେ ଗରିବଙ୍କୁ ପ୍ରାୟ ଦେଢ କୋଟିରୁ ଅଧିକ ଟଙ୍କାର ଔଷଧ ଦାନ କରିଥାନ୍ତି ।
ପଶ୍ଚିମ ଦିଲ୍ଲୀସ୍ଥିତ ଉତ୍ତମନଗରର ଏକ ଅଣଓସାରିଆ ଗଳିରେ ରୁହନ୍ତି ଏହି ମେଡ଼ିସିନ୍ ବାବା । ତାଙ୍କର ପ୍ରକୃତ ପରିଚୟ ହେଉଛି ଓମ୍କାର ନାଥ । ତାଙ୍କ ଘରେ ୩ଟି କୋଠରୀ ରହିଛି । ସେଥିମଧ୍ୟରୁ ୨ଟି କୋଠରୀରେ ଔଷଧ, ଅକ୍ସିଜେନ୍ ସିଲିଣ୍ଡର, ଦାମୀ ଇଞ୍ଜେକସନ୍, ହ୍ୱିଲ ଚେୟାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜୀବନ ରକ୍ଷାକାରୀ ଜିନିଷକୁ ରଖାଯାଇଛି । ଅନ୍ୟ ରୁମ୍ଟିକୁ ସେ ଅଫିସ୍ ଭାବରେ ବ୍ୟବହାର କରିଥାନ୍ତି । ସେ ଘର ଘର ବୁଲି ଔଷଧ ସଂଗ୍ରହ କରିଥାନ୍ତି । ପରେ ସେହି ଔଷଧଙ୍କୁ ଗରିବ ଲୋକଙ୍କୁ ଦାନ କରିଥାନ୍ତି । ପ୍ରତିବର୍ଷ ସେ ଗରିବଙ୍କୁ ୧.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଔଷଧ ଦାନ କରିଥାନ୍ତି ।
ଏକ ଦୁର୍ଘଟଣାରେ ୮୫ ପ୍ରତିଶତ ଦିବ୍ୟାଙ୍ଗ ପାଲଟିଥିବା ଏହି ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳରେ ‘ମେଡିସିନ୍ ବାବା’ ଭାବେ ବେଶ୍ ଜଣାଶୁଣା । ଓମ୍କାର ନାଥ କୁହନ୍ତି, ୧୫ ବର୍ଷ ତଳେ ଘଟିଥିବା ଏକ ଦୁର୍ଘଟଣା ତାଙ୍କୁ ଏହି କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲା । ଲକ୍ଷ୍ମୀନଗରରେ ଏକ ନିର୍ମାଣାଧୀନ ମେଟ୍ରୋର ଖମ୍ବ ଭୁଶୁଡି ପଡ଼ିବାରୁ ତାଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ । ପରେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ଅନେକ ଜୀବନ ରକ୍ଷାକାରୀ ଔଷଧ ଶେଷ ହୋଇଯାଇଥିବା କହିଲେ । ଏଥିସହିତ ରୋଗୀମାନଙ୍କୁ ବାହାରୁ ସେହି ଔଷଧ ଆଣିବାକୁ କୁହାଗଲା । କିନ୍ତୁ ସେହି ଦାମୀ ଔଷଧ କିଣିବାକୁ ସେମାନଙ୍କ ନିକଟରେ ଟଙ୍କା ନ ଥିଲା । ସେହି ଘଟଣା ପରଠାରୁ ସେ ଗରିବଙ୍କ ଲାଗି ଅତ୍ୟାବଶ୍ୟକୀୟ ଔଷଧ ମାଗିବା ଆରମ୍ଭ କଲେ ।
ଓମ୍କାର ନାଥ ଆହୁରି କହିଛନ୍ତି ଯେ, ପ୍ରାୟ ସବୁ ଘରେ ଜରୁରି ଔଷଧ ରହିଥାଏ । କିନ୍ତୁ ଅନେକ ସ୍ଥଳରେ ତାହା ରହିରହି ନଷ୍ଟ ହୋଇଯାଏ । ଏଭଳିସ୍ଥିତିରେ ସେ ଲୋକମାନଙ୍କୁ ଘରେ ଅଦରକାରୀ ଭାବେ ପଡି଼ ରହିଥିବା ଔଷଧକୁ ଦାନ କରିବାକୁ ନିବେଦନ କରିଥାନ୍ତି । ନାଥଙ୍କ ଔଷଧ ବ୍ୟାଙ୍କ୍ରେ ୨ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ଯାଏ ଔଷଧ ରହିଛି । ପ୍ରତିଦିନ ସେ ଅଟୋରେ ୧୦୦ କିମି ଯାତ୍ରା କରି ଗରିବଙ୍କ ଲାଗି ଔଷଧ ଓ ଅନ୍ୟାନ୍ୟ ଜୀବନରକ୍ଷାକାରୀ ଉପକରଣ ସଂଗ୍ରହ କରିଥାନ୍ତି । ପ୍ରାଥମିକ ଭାବେ ତାଙ୍କର କାମ ଦିଲ୍ଲୀରେ ହିଁ ସୀମିତ ଥିଲା । ବର୍ତ୍ତମାନ ସେ ତାଙ୍କର କାର୍ଯ୍ୟକୁ ଅନ୍ୟ ରାଜ୍ୟକୁ ପରିବ୍ୟାପ୍ତ କରିଛନ୍ତି । ତାଙ୍କୁ ବିଦେଶରୁ ମଧ୍ୟ ଔଷଧ ଦାନ ଆକାରରେ ମିଳୁଛି । ତାଙ୍କ ନିକଟରେ ଥିବା ଅଧିକାଂଶ ଔଷଧ ଫ୍ରାନ୍ସ, ଭିଏତନାମ, ଇଂଲଣ୍ଡ, କାନାଡାର ।
ବୟସ ଏତେ ଅଧିକ ହୋଇଥିଲେ ସୁଦ୍ଧା ସେ ନିଜକୁ ୪୦-୪୫ ବର୍ଷୀୟ ମନେକରି କାମ କରିଥାନ୍ତି । ଏଦକା ତାଙ୍କୁ ଲିଭର ସଂପର୍କିତ ରୋଗ ଲାଗି ୭ ଲକ୍ଷ ଟଙ୍କା ମୂଲ୍ୟର ୩ଟି ଔଷଧ ମିଳିଥିଲା । ପ୍ରତି ଟାବଲେଟ୍ର ମୂଲ୍ୟ ୨ ଲକ୍ଷ ୪ ହଜାର ୪୩୫ ଟଙ୍କା ଥିଲା । ସେ ତାକୁ ଏମ୍ସର ଜଣେ ଗରିବ ରୋଗୀଙ୍କୁ ଦେଇଥିଲେ । ଔଷଧ ବିତରଣ ବ୍ୟତୀତ ସେ ଅଦ୍ୟାବଧି ୨୧ ରୋଗୀଙ୍କୁ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରିବାରେ ସହାୟତା କରିଛନ୍ତି । କୋଭିଡ୍ ସମୟରେ ସୋସିଆଲ ଦୂରତା ବଜାୟ ରଖିବାର ନିୟମ ଯୋଗୁ ଯେତେବେଳେ ଘର ଘର ବୁଲିବା ସମ୍ଭବପର ନ ଥିଲା, ସେତେବେଳେ ସେ ଶ୍ମଶାନ, ମନ୍ଦିର, ଗୁରୁଦ୍ୱାର ଓ ମସ୍ଜିଦ୍ ନିକଟରେ ଔଷଧ ଦାନ ଲାଗି ବାକ୍ସ ରଖିଥିଲେ । ତାଙ୍କର ଏହି ପ୍ରେରଣାପ୍ରଦ କାର୍ଯ୍ୟ ଯୋଗୁ ତାଙ୍କର କାହାଣୀ ଅନେକ ପୁସ୍ତକରେ ପ୍ରକାଶିତ ହୋଇଛି । ଛତିଶଗଡ଼ ସରକାର ୧୦ମ ଶ୍ରେଣୀର ପାଠ୍ୟପୁସ୍ତକରେ ତାଙ୍କର କାହାଣୀକୁ ସ୍ଥାନିତ କରିଛନ୍ତି ।