ରାଜ୍ୟ

ଓଡ଼ିଶାରେ ଅଛନ୍ତି ୭୦୦ କଲରାପତରିଆ ବାଘ

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ଏବେ ବି ପ୍ରାୟ ୭୦୦ କଲରାପତରିଆ ବାଘ ରହିଥିବା ଜଣାଯାଇଛି । ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବହୁତ ଅଧିକ। ମହାବଳ ଶୂନ୍ୟ ହୋଇଥିବା ସାତକୋଶିଆ ଅଭୟାରଣ୍ୟରେ ୬୦ରୁ ଅଧିକ କଲରାପତରିଆ ଚଳପ୍ରଚଳ କରୁଥିବା ଜାଣିବାକୁ ମିଳିଛିି। ଡେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ସେମାନଙ୍କ ଉପସ୍ଥିତି ରହିଛି। ନୟାଗଡ଼, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଞ୍ଜାମ ପରି ଜିଲ୍ଲାଗୁଡ଼ିକରେ ସଂଯୋଗ କରିଥିବା ଜଙ୍ଗଲରେ କଲରାପତରିଆ ରହିଛନ୍ତି। ରାଜ୍ୟ ବନ ବିଭାଗ ପକ୍ଷରୁ ମେ’ ମାସରେ କରାଯାଇଥିବା କଲରାପତରିଆ ବାଘ ଗଣନା ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ମେ’ ମାସରେ ୪୦ ଦିନ ଧରି ଚାଲିଥିବା କଲରାପତରିଆ ବାଘ ଗଣନାରେ ଟ୍ରାପ୍ କ୍ୟାମେରା ବ୍ୟବହାର ହୋଇଥିଲା। ରାଜ୍ୟର ୫୧ଟି ଡିଭିଜନ୍‌ରେ ୩,୩୧୨ଟି କ୍ୟାମେରା ଲାଗିଥିଲା। ବ୍ୟାଘ୍ର ଅଭୟାରଣ୍ୟ ଭିତରେ କଲରାପତରିଆଙ୍କ ଗଣନା ପାଇଁ ପ୍ରତି ଦୁଇ ବର୍ଗ କିଲୋମିଟର ବ୍ୟବଧାନରେ କ୍ୟାମେରା ବ୍ୟବସ୍ଥା ହେବା ସହ ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟଗୁଡ଼ିକରେ ୨୫ ବର୍ଗ କିଲୋମିଟରରେ ୫ ଯୋଡ଼ା ଟ୍ରାପ୍ କ୍ୟମେରା ଖଞ୍ଜା ଯାଇଥିଲା। ୨୦୨୩ ସେପ୍େଟମ୍ବର ୧୫ରୁ ଜାନୁଆରି ୩୧ ମଧ୍ୟରେ ରାଜ୍ୟସ୍ତରୀୟ ବାଘ ଗଣନା ପାଇଁ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ କଏଦ ଚିତ୍ରଗୁଡ଼ିକୁ ରେଫରେନ୍ସ ଭାବେ ବ୍ୟବହାର କରାଯାଇ ଏହି ଗଣନା ହୋଇଥିଲା। ଗଣନାରେ ଯେପରି କୌଣସି ପ୍ରକାଶ ତ୍ରୁଟି ନ ହୁଏ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା।

ବାହାର ରାଜ୍ୟର କଲରାପତରିଆ ବାଘ ଓଡ଼ିଶା ଜଙ୍ଗଲକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି । ଏମିତି କି ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଜଙ୍ଗଲର କଲରାପତରିଆ ବାଘ ଓଡ଼ିଶା ମଧ୍ୟକୁ ପଶି ଆସୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଦେଶରେ କଲରାପତରିଆଙ୍କ ସଂଖ୍ୟା ବଢ଼ିଥିଲା। ୨୦୧୮ ଗଣନା ବେଳେ ଦେଶରେ ୧୨ ହଜାର ୮୫୨ ରହିଥିବା ବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୧୩ ହଜାର ୮୭୪ରେ ପହଞ୍ଚିଥିଲା। ମଧ୍ୟପ୍ରଦେଶରେ ସର୍ବାଧିକ ୩,୯୦୮ କଲରାପତରିଆ ରହିଥିବା ବେଳେ ମହାରାଷ୍ଟ୍ରରେ ୧୯୮୫, କର୍ଣ୍ଣାଟକରେ ୧୮୭୯, ତାମିଲନାଡ଼ୁରେ ୧୦୭୦ଟି ରହିଛନ୍ତି। ଆନ୍ଧ୍ରପ୍ରଦେଶର ନାଗାର୍ଜ୍ଜୁନ ସାଗର ବ୍ୟାଘ୍ର ଅଭୟାରଣ୍ୟରେ ସର୍ବାଧିକ କଲରାପତରିଆ ରହିଥିଲେ। ଦେଶର ୧୮ଟି ରାଜ୍ୟରେ ସେମାନଙ୍କ ଉପସ୍ଥିତି ରହିଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଓଡ଼ିଶାରେ କଲରାପତରିଆଙ୍କ ସଂଖ୍ୟା ୭୦୦ ପାଖାପାଖି ରହିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button