ରାଜ୍ୟ

ଖଟିଆରେ ଶବ ବୋହି ନଦୀ ପାର କଲେ ସମ୍ପର୍କୀୟ

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ ତାଳପଦା ପଞ୍ଚାୟତର ଦୁର୍ଗମ ବଡ଼ଖମଣ ଗ୍ରାମବାସୀଙ୍କ ପାଇଁ ଦୁଃଖ ପାଲଟିଛି ସମାକୋଇ ନଦୀ। ବର୍ଷା ୪ ମାସ ଜଳବନ୍ଦି ଜୀବନ ବିତାଉଛନ୍ତି ଗ୍ରାମବାସୀ। ଗାଁରୁ ବାହାରିବାକୁ ହେଲେ ସମାକୋଇ ନଦୀକୁ ତିନିଥର ପାରି ହେବାକୁ ପଡ଼ୁଛି। ପୋଲ ନିର୍ମାଣ ହୋଇ ପାରୁ ନଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ଗତକାଲି ସନ୍ଧ୍ୟାରେ ଗ୍ରାମବାସୀ ଖଟିଆରେ ଏକ ଶବ ବୋହି ସମାକୋଇ ନଦୀ ପାର କରିବା ପରେ ଗାଁକୁ ନେଇଛନ୍ତି।

ବୁଢ଼ାଖମଣ ଗ୍ରାମର ଦୁଇଟି ସାହିରେ ୧୦୦ରୁ ଅଧିକ ପରିବାର ବାସ କରୁଛନ୍ତି। ଲୋକସଂଖ୍ୟା ପ୍ରାୟ ୪୦୦। ବର୍ଷାଦିନ ଆସିଲେ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଯାଉଛି। ପଞ୍ଚାୟତ କାର୍ଯ୍ୟାଳୟରୁ ରାସନ, ଭତ୍ତା ଆଣିବା ଓ ସ୍କୁଲ, କଲେଜ ଯିବା ପାଇଁ ସମାକୋଇ ନଦୀ ପା‌ରି ହେବାକୁ ପଡ଼ୁଛି। ଜାମଳାପଦା ନିକଟସ୍ଥ ପଦନାପଦାଠାରେ ନିର୍ମିତ କାଠପୋଲରେ ଲୋକେ ବିପଜ୍ଜନକ ଭାବେ ନଦୀ ପାର ହେଉଛନ୍ତି। ଗତକାଲି ଗ୍ରାମର ଚଉବନ ଦେହୁରୀ (୭୦)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ମହାପ୍ରୟାଣ ଗାଡ଼ିରେ ଗାଁକୁ ଶବ ଅଣାଯାଉଥିଲା। ସମାକୋଇ ନଦୀ କୂଳରେ ଶବ ଛାଡ଼ି ଗାଡ଼ି ଫେରି ଯାଇଥିଲା। ସମ୍ପର୍କୀୟମାନେ ଏକ ଖଟିଆରେ ଶବକୁ ରଖି ସମାକୋଇ ନଦୀ ପାର ହେବା ପରେ ସେଠାରୁ ୩ କିମି ବୋହି ଗାଁକୁ ନେଇଥିଲେ।

ପ୍ରତିବର୍ଷ ବର୍ଷାଋତୁରେ ଗ୍ରାମବାସୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏଠାରେ ପୋଲ ନିର୍ମାଣ ହୋଇ ପାରିନାହିଁ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣଙ୍କୁ ପଚାରିବାରୁ ଖୁବଶୀଘ୍ର ପୋଲ ନିର୍ମାଣ ହେବ ବୋଲି କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button