ହଠାତ୍ ଚନ୍ଦା ହୋଇଗଲେ ଗ୍ରାମବାସୀ, ଚିନ୍ତାରେ ପ୍ରଶାସନ
ନୂଆଦିଲ୍ଲୀ: ହଠାତ୍ ଚନ୍ଦା ହୋଇଗଲେ ପୁରା ଗ୍ରାମବାସୀ । ଏବେ ଆତଙ୍କ ଖେଳାଇଛି ଏହି ଅଜଣା କେଶଝଡ଼ା ରୋଗ । ଏହା ବ୍ୟାପିବାରେ ଲାଗିଛି । ମହାରାଷ୍ଟ୍ରର ବୁଲଦାନା ଜିଲାରୁ ଏପରିି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ସପ୍ତାହେ ମଧ୍ୟରେ ସେଠାକାର ଶେଗାଓଁ ତହସିଲ ଅନ୍ତର୍ଭୁକ୍ତ ୩ଟି ଗାଁ ବୋରଗାଓଁ, କଲୱାଡ୍ ଓ ହିଙ୍ଗନାର ୬୦ରୁ ଊର୍ଦ୍ଧ୍ୱ ଲୋକ ଅଚାନକ ଚନ୍ଦା ହୋଇଯାଇଛନ୍ତି । ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପୁଳା ପୁଳା କେଶ ଝଡୁଛି । ମହିଳାମାନେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ସେଥିଯୋଗୁ ୩ଟିଯାକ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପୁଥିବା ଏହି ରୋଗ ସଂପର୍କରେ ଅଦ୍ୟାବଧି କିଛି ସୂଚନା ମିଳିନାହିଁ ।
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ଚୁଟି ଝଡିବା ଏକ ପ୍ରମୁଖ କାରଣ ସାଜିଛି । ମହିଳା ପୁରୁଷ ଉଭୟେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୁଲଦାନା ଗ୍ରାମବାସୀଙ୍କର ପ୍ରଥମେ ଚୁଟି ଝଡିଥିବା ବେଳେ ହଠାତ୍ ପୁରା ଗାଁର ଲୋକେ ଚନ୍ଦା ହୋଇଯାଇଥିଲେ । ଏ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ଚିନ୍ତାରେ ପଡିଯାଇଛି । ଗ୍ରାମକୁ ସପ୍ଲାଇ କରାଯାଉଥିବା ପାଣିକୁ ଟେଷ୍ଟିଂ କରାଯାଇଥିଲା । ଖବର ପ୍ରସାରିତ ହେବା ପରେ ଏହି ରୋଗ କାଳେ ବଂଶଗତ ହୋଇଥିବ, ସେ ସଂପର୍କରେ ଜାଣିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଟିମ୍ ସେଠାକୁ ଯାଇ ସର୍ଭେ କରିଛି । ପ୍ରଭାବିତ ଲୋକଙ୍କୁ ଚିକିତ୍ସା ଏବଂ ଉପଚାର ପ୍ରଦାନ କରାଯାଇଥିଲା । ତେବେ କେଉଁ କାର ପାଇଁ ହଠାତ୍ ସମସ୍ତେ ଚନ୍ଦା ହୋଇଗଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ଗ୍ରାମବାସୀଙ୍କର କେଶ ଓ ଚର୍ମ ନମୁନାକୁ ପରୀକ୍ଷଣ ଲାଗି ସଂଗ୍ରହ କରାଯାଇଛି । ପାଣିର ନମୁନା ବି ସଂଗୃହୀତ ହୋଇଛି । ଏହି ରୋଗ ହେଲେ ପ୍ରଥମ ଦିନ ବ୍ୟକ୍ତିଙ୍କର ମୁଣ୍ଡ କୁଣ୍ଡାଇ ହୋଇଥାଏ । ଦ୍ୱିତୀୟ ଦିନ ପୁଳା ପୁଳା କେଶ ଉପୁଡି଼ଥାଏ । ତୃତୀୟ ଦିନ ବ୍ୟକ୍ତିଙ୍କ ମୁଣ୍ଡର ଏକ ବଡ଼ ଅଂଶରୁ କେଶ ପଳାଇଥାଏ । ଏହାପରେ ଅନେକ ବ୍ୟକ୍ତି ସଂପୂର୍ଣ୍ଣ ଚନ୍ଦା ବି ହୋଇଯାନ୍ତି । ପୀଡି଼ତମାନେ ଏ ସଂପର୍କିତ କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି । ସେଥିରେ ସେମାନଙ୍କ କେଶକୁ ସାମାନ୍ୟ ଛୁଇଁବା ମାତ୍ରେ ପୁଳା ପୁଳା କେଶ ଝଡୁଥିବା ଦେଖିବାକୁ ମିଳୁଛି । ସେଥିଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବୁଲଦାନାରେ ଏହି ଅଜଣା ରୋଗ ଦ୍ୱାରା ପ୍ରଭାବିତ ଅଧିକାଂଶ ରୋଗୀ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିଦେଇଛନ୍ତି ।
ପ୍ରଦୂଷିତ ପାଣି (ପାଣିରେ ସାରର ମାତ୍ରା ଥିବା) ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଏଭଳି କେଶଝଡ଼ା ରୋଗ ହୋଇଥାଇପାରେ ବୋଲି ଡାକ୍ତରମାନଙ୍କର ମତ । ପରୀକ୍ଷଣର ଫଳାଫଳ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ । ସେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ଜଗିରଖି ଚଳିବାକୁ କୁହାଯାଇଛି ।