ରାଜ୍ୟ

ବାତ୍ୟା ଛନକା, ବୋହିନେଲେ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଦାନାକୁ ନେଇ ଲୋକଙ୍କ ଭିତରେ ଛନକା ପଶିଛି । ବାତ୍ୟା ପୂର୍ବରୁ ରାଜଧାନୀର ପରିବା ହାଟରେ ପରିବାର ଦର ଆକାଶଛୁଆଁ । ସରକାରଙ୍କ କଥାକୁ ଖାତିର ନ କରି ଚଢା ଦରରେ ପରିବା ବିକ୍ରି କରୁଛନ୍ତି ବେପାରି । କେବଳ ପରିବା ନୁହେଁ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଲୋକେ ବୋହି ନେଇଛନ୍ତି । ବାତ୍ୟା ପୂର୍ବରୁ ଖାଦ୍ୟ ସାମଗ୍ରୀ ଘରେ ସାଇତି ରଖିବାକୁ ବଜାରରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଏକ ନମ୍ବର ପରିବା ମାର୍କେଟଠାରୁ ଆରମ୍ଭ କରି ନୟାପଲ୍ଲୀ, ବରଗଡ଼,ଭିଏସଏସ ନଗର, ପଳାଶୁଣି, ୪ ନମ୍ବର ମାର୍କେଟ ଆଦି ସବୁ ପରିବା ବଜାରରେ ଦେଖାଦେଇଛି ଅସମ୍ଭାଳ ଭିଡ଼। ଦର ପଚାରିବାକୁ ସମୟ ନାହିଁ କି ବଛାବଛି କରିବାକୁ ବି ଫୁରସତ୍ ନାହିଁ । କେମିତି କଣ କରିକି ବ୍ୟାଗ୍ ଭର୍ତ୍ତି କରିବା ହେଉଛି ସମସ୍ତଙ୍କ ଲକ୍ଷ୍ୟ ।

ବାତ୍ୟା ପାଇଁ ଲୋକେ ଆତଙ୍କିତ ହୋଇ ଅଧିକ କିଣାକିଣି କରୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବେପାରୀ । ଚଢା ଦରରେ ବିକ୍ରି କରୁଛନ୍ତି ପରିବା । ବିଶେଷ କରି ଆଳୁ, ପିଆଜ ଦର । ଗତ ଦୁଇ ଦିନ ଭିତରେ ଆଳୁ ଓ ପିଆଜ କିଲୋ ପିଛା ୨୦ ଟଙ୍କା ବଢିଲାଣି । ଗତକାଲି ସନ୍ଧ୍ୟାରେ ସାରା ରାଜ୍ୟରେ ପରିବା ଦର ନିୟନ୍ତ୍ରଣ ବାହାରେ । କିଛି ପରିବା ଦର ୧୦୦ଟଙ୍କାରେ ବି ବିକ୍ରି ହୋଇଛି। ବାଇଗଣ, କଲରା, ପୋଟଳ, ଭେଣ୍ଡି, ଜହ୍ନି, ଅମୃତଭଣ୍ଡା, ଟମାଟୋ ଭଳି ପରିବାରେ ହାତମାରି ହେଉନାହିଁ। ରାଜଧାନୀର ଏ ନମ୍ବର ହାଟରେ ଟମାଟୋ କିଲୋ ୬୦ ଟଙ୍କା, ବନ୍ଧା କୋବି ୬୦ ଟଙ୍କା, ଫୁଲ କୋବି ୬୦, ବିନ୍ ୧୩୦, ସଜନା ଛୁଇଁ କିଲୋ ୮୦, ଲଙ୍କା କିଲୋ ୧୦୦, ଭେଣ୍ଡି ୬୦, ପୋଟଳ ୮୦, ଜହ୍ନି କିଲୋ ୪୦ ଟଙ୍କା, ସାରୁ ୬୦ ଟଙ୍କା, କଖାରୁ ୨୦ ଟଙ୍କା, ଅଦା ୨୫୦ ଟଙ୍କା, ରସୁଣ ୪୦୦ ଟଙ୍କା, ପିଆଜ ୭୦ ଟଙ୍କା ରହିଛି। ଆଳୁ କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି ।

କେବଳ ଯେ ରାଜଧାନୀରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତା’ ନୁହେଁ ବ୍ରହ୍ମପୁର, ଜଗତ୍‌ସିଂହପୁର, ବାଲେଶ୍ୱର, ପୁରୀ, କଟକ, ଭଦ୍ରକ ଆଦି ସ୍ଥାନରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button