ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଗସ୍ତ କରିଛନ୍ତି। ସେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ପରେ ବିଭିନ୍ନ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହା ଦ୍ୱାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଏହି ସମୟରେ ରାଜସ୍ୱ ଓ ବିପର୍ୟ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ।
ପୂର୍ବରୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ବାତ୍ୟା ‘ଦାନା’ ଯୋଗୁଁ ୧୪ ଜିଲ୍ଲାର ୩୫ ଲକ୍ଷ ୯୫ ହଜାର ୧୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୧୦୮ ବ୍ଲକ, ୧୬୭୧ ଗ୍ରାମ ପଞ୍ଚାୟତ, ୩୧ ସହରର ୪୨୬ ୱାର୍ଡର ଲୋକେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି। ଆଜି ସକାଳ୧୦ଟା ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ୟ୍ୟକ୍ଷମ ଅଛି। ଲୋକେ ଫେରିବା ଆରମ୍ଭ କଲେଣି। ରନ୍ଧା ଖାଦ୍ୟ ମାଧ୍ୟମରେ ୮ ଲକ୍ଷ ୧୦ ହଜାର ୮୯୬ ଜଣ ଲୋକ ଉପକୃତ ହୋଇଛନ୍ତି। ଆଶ୍ରୟସ୍ଥଳରେ ରୋଷେଇ ସାତ ଦିନ ଯାଏଁ ଚାଲିବ। ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି। ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ।
୬ ଲକ୍ଷ ୫୯ ହଜାର ୮୪୨ ପଶୁ ଓ ୭ ଲକ୍ଷ ୩୪ ହଜାର ୭୫ କୁକୁଡ଼ା ପ୍ରଭାବିତ ହୋଇଛନ୍ତି। ପଶୁଙ୍କୁ ସାପ କାମୁଡ଼ା ମାମଲା ଭଦ୍ରକରେ ୪, ଯାଜପୁରରେ ଜଣେ ଓ କେନ୍ଦ୍ରାପଡ଼ା ୭ ନଜରକୁ ଆସିଛି। ସେହିପରି ୨୮ଜଣ ଲୋକଙ୍କୁ ସାପ କାମୁଡ଼ିଛି। ଏଥିରେ ଜଣେ ଡାକ୍ତର ବି ଅଛନ୍ତି ହେଲେ ସମସ୍ତେ ସୁସ୍ଥ ଅଛନ୍ତି। ୧ ଲକ୍ଷ ୨୫ ହଜାର ୯୧୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ୫୮୩୯ ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପୀଡ଼ତମାନଙ୍କୁ ୨୩୨୨.୨ କ୍ୱିଣ୍ଟାଲ୍ ଚୁଡ଼ା ଓ ୭୫୫ ପଲିଥିନ ଦିଆଯାଇଛି। ୩୩୫ ମେଡିକାଲ ଟିମ ନିୟୋଜିତ ହୋଇଛନ୍ତି। ଏଣେ ବିଦ୍ୟୁତ ସରବାରହ କାମ ସରିଲାଣି।