ଉପତ୍ୟକାକୁ ଫେରିଲା ଆତଙ୍କବାଦ: ଆଜି କଶ୍ମୀର ବନ୍ଦ

ଶ୍ରୀନଗର :ଜମ୍ମୁ-କଶ୍ମୀରର ପହଲଗାମ୍ରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ବିଦେଶୀ ଓ ୨ ସ୍ଥାନୀୟ ଲୋକ ଅଛନ୍ତି। ପହଲଗାମ୍ର ବୈସରନ ପର୍ବତ ଶିଖରରେ ଏକ ୪୦ ଜଣିଆ ପର୍ଯ୍ୟଟକ ଦଳଙ୍କୁ ଟାର୍ଗେଟ କରି ସଶସ୍ତ୍ର ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଆକ୍ରମଣ ସ୍ଥଳରେ ଅନେକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମରଶରୀର ପଡ଼ିଥିବା ଦେଖାଯାଇଛି। ଆକ୍ରମଣ ପାଇଁ ଲଶ୍କର-ଇ-ତୋଇବାର ଛାମୁଆ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ନିଜକୁ ଦାୟୀ କରିଛି। ୨୦୧୯ ଫେବୃଆରୀରେ ପୁଲ୍ଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୭ ଜଣ ସିଆର୍ପିଏଫ୍ ଯବାନ ପ୍ରାଣ ହରାଇଥିତ୍ଲେ। ଏହା ପରଠାରୁ ମଙ୍ଗଳବାରର ଆକ୍ରମଣ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ସଶସ୍ତ୍ର ଆତଙ୍କବାଦୀ ପହଲଗାମ ରିସର୍ଟ ସହରଠାରୁ ୬ କି.ମି. ଦୂରରେ ଥିବା ବୈସରନ୍ରେ ପହଞ୍ଚତ୍ ସେଠାରେ ରେଷ୍ଟୁରାଣ୍ଟ ନିକଟରେ ଚାଲବୁଲ କରୁଥିବା ବା ପିକ୍ନିକ୍ କରୁଥିବା ପର୍ଯ୍ୟଟକମାନଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ଆତଙ୍କ ଖେଳିଯିବା ସହ ପର୍ଯ୍ୟଟକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଧାଇଁଥିଲେ ବୋଲି ଜଣେ ମହିଳା ପର୍ଯ୍ୟଟକ କହିଛନ୍ତି। ମୃତଦେହଗୁଡ଼ିକ ପଡ଼ିରହିଥିବାବେଳେ ମହିଳାମାନେ କାନ୍ଦୁଥିବାର ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି।
ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିବାଦରେ ବୁଧବାର ସମ୍ପୂର୍ଣ୍ଣ କଶ୍ମୀର ବନ୍ଦ ପାଇଁ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷ ମେହବୁବା ମୁଫ୍ତି ଆହ୍ବାନ ଦେଇଛନ୍ତି। ନିରୀହ ଲୋକଙ୍କ ହତ୍ୟା ବିରୋଧରେ ସମସ୍ତେ ଏକାଠି ହେବାର ସମୟ ଆସିଛି ବୋଲି ପିଡିପି ବିଧାୟକ ଓ୍ବାହିଦ ପାରା କହିଛନ୍ତି। ପର୍ଯ୍ୟଟକଙ୍କ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଜମ୍ମୁର ଚାମ୍ବର ଅଫ୍ ବାର୍ ଆସୋସିଏଶନ ପକ୍ଷରୁ ବୁଧବାର ବନ୍ଦ ଡାକରା ଦିଆଯାଇଥିବାବେଳେ ପିଡିପି ଏହାକୁ ସମର୍ଥନ ଜଣାଇଛି। ଏହା କେବଳ କେତେଜଣ ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ଆକ୍ରମଣ ନୁହେଁ, ସମସ୍ତଙ୍କ ଉପରେ ଆକ୍ରମଣ। ଏହି ଦୁଃଖଦ ସମୟରେ ଆମେ ଏକାଠି ଛିଡ଼ାହେବା ସହ ବନ୍ଦକୁ ଦୃଢ଼ ସମର୍ଥନ କରିବା ବୋଲି ମେହବୁବା କହିଛନ୍ତି।