ଦେଶ- ବିଦେଶ

ଗାଈଙ୍କୁ ଚରାଇବାକୁ ନେବ ସ୍ୱାଗ୍‌ବଟ୍‌

ନୂଆଦିଲ୍ଲୀ: ସାଧାରଣତଃ ଗାଈ ଚରାଳିମାନେ ଲୋକଙ୍କ ଗୁହାଳରୁ ଗାଈ ନେଇ ପାଖ ଜଙ୍ଗଲ କିମ୍ବା ପଡ଼ିଆରେ ଚରାଇଥାନ୍ତି । ସଞ୍ଜରେ ପୁଣି ଫେରିଆସନ୍ତିନିଜ ନିଜ ଗୁହାଳକୁ। କିନ୍ତୁ ଏବେ ଆଉ ଗାଈ ଚରାଇବାକୁ କାହାକୁ କଷ୍ଟ କରିବାକୁ ପଡ଼ିବ ନାହିଁ । କାରଣ ଏ କାମ କରିବାକୁ ପ୍ରସ୍ତୁତ ହୋଇଗଲାଣି ରୋବଟ୍‌। ଅଷ୍ଟ୍ରେଲିଆର ସିଡ୍‌ନି ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ବିକଶିତ ‘ସ୍ୱାଗ୍‌ବଟ୍‌’ ବିଶ୍ୱର ପ୍ରଥମ ରୋବଟ୍ ଗାଈଚରାଳି।

୨୦୧୬ ମସିହାରେ ପ୍ରଥମ କରି ଗୋଚାରଣରେ ନିୟୋଜିତ ହୋଇଥିବା ଏହି ଚାରିଚକଯୁକ୍ତ ସ୍ୱୟଂଚାଳିତ ଯାନ୍ତ୍ରିକ ଗୋଚରାଳିର କାର୍ଯ୍ୟଶୈଳୀ ଆଶାଠାରୁ ଯଥେଷ୍ଟ ଅଧିକ ଉପାଦେୟ ବୋଲି ପ୍ରମାଣିତ ହୋଇଛି। ପ୍ରଥମେ ଏହା ଅସମତଳ ତଥା ଅଙ୍କାବଙ୍କା ଭୂଭାଗରେ ଚଳପ୍ରଚଳ କରିବା ପାଇଁ ସମର୍ଥ ହୋଇଥିଲା । ଏବେ ସେଥିରେ ବିଭିନ୍ନ ପ୍ରକାର ସେନ୍‌ସର, କୃତ୍ରିମ ବୁଦ୍ଧିମତା(ଏଆଇ) ଜ୍ଞାନକୌଶଳ ଓ ମେସିନ୍ ଲର୍ଣ୍ଣିଂ ପ୍ରଣାଳୀ ଖଞ୍ଜାଯାଇଛି। ଫଳରେ ଏହି ବ୍ୟାଟେରିଚାଳିତ ରୋବଟ୍ ଗୋଚରାଳି ବିଭିନ୍ନ ଚାରଣଭୂଇଁର ପ୍ରକାର ଭେଦ, ସୁସ୍ଥତା ଓ ଘନତା ପରଖି ପାରିବା ସହ ଗୋସମ୍ପଦର ସ୍ୱାସ୍ଥ୍ୟ ମଧ୍ୟ ନିରୀକ୍ଷଣ କରିପାରୁଛି। ପରେ ଏହା ଗାଈପଲକୁ ସର୍ବୋତ୍ତମ ଚରାଭୂଇଁକୁ ଅଡ଼ାଇନେଉଛି। ଫଳରେ ଗୋରୁମାନେ ପରିପୁଷ୍ଟ ତୃଣ ପାଇପାରିବା ସହ ମାତ୍ରାଧିକ ଚାରଣଜନିତ ମୃତ୍ତିକା ମାନ ହ୍ରାସ ମଧ୍ୟ ରୋକାଯାଇପାରୁଛି। ଏଥିସହିତ ଗୋସମ୍ପଦ ସମ୍ପର୍କିତ ସମସ୍ତ ସୂଚନା ମଧ୍ୟ ଏହି ‘ସ୍ୱାଗ୍‌ବଟ୍‌’ ତାହାର ମାଲିକଙ୍କ ପାଖକୁ ପଠାଇପାରୁଛି।

ତେଣୁ ପଶୁପାଳକମାନେ ନିରନ୍ତର ନିଜ ଜମିରେ କେତେ ପଶୁପାଳନ କରିବେ ତାହା ଆକଳନ କରିଥା’ନ୍ତି, ମାତ୍ର ଏହି ଗୃହପାଳିତ ପଶୁମାନେ ବିଶାଳ ଆବଦ୍ଧ କ୍ଷେତ୍ରରେ କୁଆଡ଼େ ଚରିବେ ତାହା ଉପରେ ସେମାନଙ୍କର କ୍ୱଚିତ୍ ନିୟନ୍ତ୍ରଣ ଥାଏ। ଅପରପକ୍ଷେ, ଗୋଟିଏ ସ୍ଥାନରେ ମାତ୍ରାଧିକ ଚାରଣ ହେଲେ, ତାହା ମୃତ୍ତିକା ମାନ ଦୁର୍ବଳ କରିଦେବ, ଯାହା ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏବେ ପଶୁପାଳକମାନଙ୍କୁ ବିଭିନ୍ନ ଚାରଣ ଭୂମି ସମ୍ପର୍କରେ ‘ସ୍ୱାଗ୍‌ବଟ୍‌’ ଅବଗତ କରାଇପାରୁଛି । ପ୍ରାଣୀମାନଙ୍କୁ ଉନ୍ନତ ତଥା ପୁଷ୍ଟିକର ତୃଣଭୂମି ଆଡ଼କୁ ଅଡ଼ାଇ ନେଉଛି। ଏହାଦ୍ୱାରା ଅପେକ୍ଷାକୃତ ଅଧିକ ପୁଷ୍ଟିକର ଖାଦ୍ୟ ଲୋଡୁଥିବା ଗର୍ଭବତୀ ପ୍ରାଣୀମାନେ ବି ଉପକୃତ ହୋଇପାରୁଛନ୍ତି। ଅଷ୍ଟ୍ରେଲିଆ ପରି ଦେଶରେ ଯେଉଁଠି ବୃହତ୍ ପଶୁପାଳକମାନେ ସେମାନଙ୍କ ପଶୁଙ୍କୁ ଅଧିକ ଖାଦ୍ୟ ଯୋଗାଇବା ଲାଗି ଦୂରଦୂରାନ୍ତ ଅପନ୍ତରା ସ୍ଥାନରେ ଚରାଇବା ପାଇଁ ଲୋକଙ୍କୁ ଭଡ଼ାରେ ଆଣନ୍ତି, ସେଠି ଏହି ‘ସ୍ୱାଗ୍‌ବୋଟ୍‌?’ର ଚାହିଦା ଯଥେଷ୍ଟ ବେଶୀ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button