ନୂଆ ବର୍ଷ ପାଳନ କରିବାକୁ ଶାହାରୁଖଙ୍କ ଫାର୍ମହାଉସରେ ସୁହାନା-ଅଗସ୍ତ୍ୟ

ମୁମ୍ବାଇ: ଆଉ ମାତ୍ର କେଇଟା ଦିନ ପରେ ଆସୁଛି ନୂଆ ବର୍ଷ । ଏହାକୁ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି । କିନ୍ତୁ ବଲିଉଡ୍ର ଷ୍ଟାରକିଡ୍ମାନେ ନିଆରା ଭାବେ ନୂଆ ବର୍ଷକୁ ପାଳନ କରିବାକୁ ଯୋଜନା ଚଳାଇଛନ୍ତି । ସେମାନଙ୍କ ମଧ୍ୟରୁ ଶାହାରୁଖ ଖାନ୍ଙ୍କ ଲାଡ଼ଲି ସୁହାନା ନିଜ ପ୍ରେମିକଙ୍କ ସହ ତାଙ୍କ ଫାର୍ମହାଉସ୍ ଯାଇଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖଙ୍କ ଝିଅ ସୁହାନା ଓ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ରେଷ୍ଟୁରାଣ୍ଟ ହେଉ କି ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ନଜର ଆସନ୍ତି । ହେଲେ ସେଭଳି କିଛି ନୁହେଁ ବୋଲି କହି ସୁହାନା ଡେଟିଂ ଖବରକୁ ଏଡ଼ାଇ ଦିଅନ୍ତି । କିନ୍ତୁ ଏବେ ସେମାନେ ଶାହାରୁଖଙ୍କ ଫାର୍ମହାଉସରେ ନଜର ଆସିବା ପରେ ଚର୍ଚ୍ଚାରେ ମୋହର ବାଜିଛି।
ସୁହାନା ଓ ଅଗସ୍ତ୍ୟ ନୂଆ ବର୍ଷ ପାଳନ କରିବା ପାଇଁ ଫାର୍ମହାଉସ୍ ଯାଇଛନ୍ତି। ଦୁହେଁ ଫାର୍ମହାଉସ ଯିବା ପାଇଁ ‘ଗେଟ୍ୱେ ଅଫ୍ ଇଣ୍ଡିଆ’ ନିକଟରେ ପହଞ୍ଚିଥିଲେ । ସେଠାରୁ ସ୍ପିଡ୍ ବୋଟ୍ ନେଇ ଲୋକେଶନ୍କୁ ଯାଇଛନ୍ତି । ଏହି ସମୟରେ ସେମାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଉଭୟଙ୍କ ଯୋଡ଼ିକୁ ଲୋକେ ପସନ୍ଦ କରୁଛନ୍ତି।
ପୂର୍ବରୁ ସୁହାନା ଦୀପାବଳି ପାର୍ଟିକୁ ଅଗସ୍ତ୍ୟଙ୍କ ସହ ଯାଇଥିଲେ। ଏହାଛଡ଼ା ଅନନ୍ୟା ପାଣ୍ଡେଙ୍କ ‘କଲ୍ ମି ବେ’ର ପ୍ରିମିୟରରେ ଏକାଠି ନଜର ଆସିଥିଲେ। ଫିଲ୍ମ ବିଷୟରେ କହିଥିଲେ, ସୁହାନା ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘କିଙ୍ଗ୍’ ଶୁଟିଂରେ ବ୍ୟସ୍ତ। ସେହିଭଳି ଅଗସ୍ତ୍ୟ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ଇକ୍କିସ’ରେ ନଜର ଆସିବେ।