ମାତାପିତାଙ୍କ ଇଚ୍ଛା ବିରୋଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଯେଉଁ ପ୍ରେମୀଯୁଗଳମାନେ ନିଜ ଇଚ୍ଛାରେ ମାତାପିତାଙ୍କ ଅନୁମତି ବିନା ବିବାହ କରନ୍ତି, ସେମାନଙ୍କୁ ଆଉ ପୋଲିସ ସୁରକ୍ଷା ମିଳିବ ନାହିଁ। ଯଦି ସେମାନଙ୍କ ଜୀବନ କିମ୍ବା ସ୍ବାଧୀନତା ଉପରେ ପ୍ରକୃତ ବିପଦ ନ ଥାଏ। ଏହି ରାୟ ଶ୍ରେୟା କେସରଓାନୀ ଏବଂ ତାଙ୍କ ସ୍ବାମୀଙ୍କ ଦ୍ୱାରା ଦାୟର ଏକ ରିଟ ଆବେଦନର ଶୁଣାଣି ସମୟରେ ବିଚାରପତି ସୌରଭ ଶ୍ରୀବାସ୍ତବ ଦେଇଛନ୍ତି। ଏହି ପ୍ରେମୀଯୁଗଳ ପୋଲିସ ସୁରକ୍ଷା ଏବଂ ସେମାନଙ୍କ ବୈବାହିକ ଜୀବନରେ ଅନ୍ୟମାନଙ୍କର ହସ୍ତକ୍ଷେପ ରୋକିବା ପାଇଁ କୋର୍ଟରେ ଆବେଦନ କରିଥିଲେ।
ବିଚାରପତି ଶ୍ରୀବାସ୍ତବ କହିଛନ୍ତି, ଯଦି କୌଣସି ପ୍ରେମୀଯୁଗଳ ମାତାପିତାଙ୍କ ଇଚ୍ଛା ବିରୋଧରେ ବିବାହ କରିଥାନ୍ତି, ତେବେ ସେମାନଙ୍କୁ ସମାଜର ମୁକାବିଲା କରିବା ପାଇଁ ନିଜେ ନିଜକୁ ସମର୍ଥନ କରିବାକୁ ଶିଖିବାକୁ ପଡ଼ିବ। କେବଳ ନିଜ ଇଚ୍ଛାରେ ବିବାହ କରିବା ପାଇଁ ପଳାୟନ କରିଥିବା ଯୁବପିଢିଙ୍କୁ ସୁରକ୍ଷା ଦେବା ପାଇଁ ଅଦାଲତ ନୁହେଁ।
ଅଦାଲତ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଏହି ଯୁଗଳଙ୍କ ସହ ଦୁର୍ବ୍ୟବହାର କରେ କିମ୍ବା ସେମାନଙ୍କୁ ହଇରାଣ କରେ, ତେବେ ଅଦାଲତ ଏବଂ ପୋଲିସ ସେମାନଙ୍କ ସାହାଯ୍ୟ ପାଇଁ ଉପଲବ୍ଧ ଅଛନ୍ତି। ତେବେ, ପ୍ରକୃତ ବିପଦ ନ ଥିବା ପର୍ଯ୍ୟନ୍ତ ସୁରକ୍ଷା ମାଗିବା ଏକ ଅଧିକାର ନୁହେଁ।