ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବିବାଦ

ହାଇଦ୍ରାବାଦ: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ୨୦୨୫ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସ୍ଥାନୀୟ ମହିଳାମାନଙ୍କୁ ଦ୍ୱାରା ପ୍ରତିଯୋଗୀଙ୍କ ପାଦ ଧୋଇ ତାହାକୁ ଗାମୁଛାରେ ପୋଛାଯିବାର ଏକ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ଓ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ବିବାଦର କାରଣ ହୋଇଛି।
ଘଟଣାଟି ଏକ ପବିତ୍ର ମନ୍ଦିର ନିକଟରେ ଆୟୋଜିତ ହୋଇଥିବା ବେଳେ, ଏହାକୁ ଅନେକେ ଅପମାନଜନକ, ଔପନିବେଶିକ ମାନସିକତାର ପ୍ରତୀକ ଏବଂ ତେଲେଙ୍ଗାନାର ମହିଳାମାନଙ୍କ ପ୍ରତି ଅସମ୍ମାନ ବୋଲି ଅଭିଯୋଗ କରିଛନ୍ତି। ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏହି ଘଟଣାକୁ “ତେଲେଙ୍ଗାନାର ମହିଳାମାନଙ୍କ ପ୍ରତି ଅପମାନ” ବୋଲି ଦୋଷାରୋପ କରି ରାଜ୍ୟର କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି।
ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ, ବିଆରଏସ ନେତା ଓ ଅନ୍ୟାନ୍ୟ ବିରୋଧୀ ନେତାମାନେ ଏହାକୁ “ଜାତିବାଦୀ ଓ ଔପନିବେଶିକ” ବୋଲି ବର୍ଣ୍ଣନା କରିଛନ୍ତି। ବିଆରଏସ ନେତ୍ରୀ ଅର୍ପିତା ରାଓ ରାଜ୍ୟ ସରକାରଙ୍କ ଅଧିକାରୀ ଜୟେଶ ରଞ୍ଜନଙ୍କୁ ସିଧାସିଧା ନିଶାନା କରି ଏହାକୁ “ଅଗ୍ରହଣୀୟ ଓ ଲଜ୍ଜାଜନକ” ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟର ସଂସ୍କୃତିକୁ ଗୌରବାନ୍ୱିତ ଭାବେ ପ୍ରଦର୍ଶନ କରିବା ବଦଳରେ ଏହା ମହିଳାମାନଙ୍କୁ ଅବମାନନା କରିଛି।