ବାତ୍ୟାରୁ ରକ୍ଷା ପାଇଁ ସ୍ୱତନ୍ତ୍ର ପୂଜାପାଠ
ଭଦ୍ରକ: ଅତି ଭୟଙ୍କର ଭାବେ ମାଡ଼ି ଆସୁଛି ବାତ୍ୟା ଦାନା । ଉପକୂଳ ମୁହାଁ ହୋଇଛି ବାତ୍ୟା। ଆଜି ରାତିରେ ଲ୍ୟାଣ୍ଡଫଲ କରି ‘ଦାନା’ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଭୟଙ୍କର ବାତ୍ୟାରୁ ରକ୍ଷା ପାଇବା ପାଇଁ ଭଦ୍ରକ ଜିଲା ଧାମରାରେ ଥିବା ଧାମରାଈ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ କରାଯାଇଛି । ଧାମରାବାସୀ ମାଆ ଧାମରାଈଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି। ବାତ୍ୟାର ପ୍ରକୋପ କମ୍ କରିବା ନେଇ ଗ୍ରାମବାସୀ ଏହି ପୂଜା କରୁଛନ୍ତି । ମାଆ ଧାମରାଈ ମନ୍ଦିରରେ ଜୋରସୋରରେ ପୂଜାର୍ଚ୍ଚନା କରାଯିବା ସହ ସଂକୀର୍ତ୍ତନ କରୁଛନ୍ତି ଗ୍ରାମବାସୀ । ମାଆ ଏପରି ବିପଦରୁ ରକ୍ଷା କରିବେ ବୋଲି ଗ୍ରାମବାସୀଙ୍କ ପୁରା ବିଶ୍ୱାସ ।
ଏବେ ବାତ୍ୟା ଦାନା ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ରହିଥିବା ବେଳେ ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ମୁହାଁ ହୋଇଛି ଦାନା। ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ‘ଦାନା’ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।