ବିଶେଷ

ସବୁଠୁ ଛୋଟ ଛେଳି: ଉଚ୍ଚତା ଜାଣିଲେ …

ଥିରୁଭାନନ୍ତପୁରମ:କେରଳର ପିଟର ଲେନୁ ନାମକ ଜଣେ କୃଷକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର କରୁମ୍ବୀ ନାମକ ଏକ ପୋଷା ଛେଳି ଗିନିଜ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ ବିଶ୍ୱର ସବୁଠାରୁ ଛୋଟ ଜୀବନ୍ତ ଛେଳି ଭାବେ ଆନୁଷ୍ଠାନିକ ମାନ୍ୟତା ପାଇଛି। ଜିଡବ୍ଲ୍ୟୁଆର୍‌ ଅନୁଯାୟୀ, ୨୦୨୧ରେ ଜନ୍ମ ହୋଇଥିବା କରୁମ୍ବୀର ଉଚ୍ଚତା ମାତ୍ର ୧ ଫୁଟ ୩ ଇଞ୍ଚ (୪୦.୫୦ ସେମି) ରହିଛି। ଏହା ଏକ କାନାଡିଆନ ଡ୍ବାର୍ଫ ଗୋଟ୍‌ ହୋଇଥିବା ବେଳେ ଜେନେଟିକ୍‌ ଡ୍ବାର୍ଫିଜିମ୍‌ ଯୋଗୁ ଏହାର ଗୋଡ଼ ୨୧ ଇଞ୍ଚ (୫୩ ସେ.ମି.) ରୁ ଅଧିକ ହୋଇପାରିବ ନାହିଁ ବୋଲି ଜିଡବ୍ଲ୍ୟୁଆର୍‌ ପକ୍ଷରୁ କୁହାଯାଇଛି। କରୁମ୍ବୀ ତାଙ୍କ ଫାର୍ମର ସବୁଠାରୁ ଛୋଟ ପ୍ରାଣୀ ବୋଲି ପିଟର କହିଛନ୍ତି। ତାଙ୍କ ଫାର୍ମରେ କରୁମ୍ବୀକୁ ମିଶାଇ ସମୁଦାୟ ୨୩ଟି ଛେଳି ରହୁଛନ୍ତି। ସେହିପରି ଉକ୍ତ ଫାର୍ମରେ ଗାଈ, କୁକୁଡ଼ା, ଠେକୁଆ, ବତକ ମଧ୍ୟ ରହୁଛନ୍ତି। କରୁମ୍ବୀ ଏବେ ଗର୍ଭବତୀ ଥିବା ନେଇ ପିଟର କହିଛନ୍ତି।

ରେକର୍ଡ ପାଇଁ କରୁମ୍ବୀର ନାମକୁ ଆବେଦନ କରିବାକୁ ତାଙ୍କୁ ତାଙ୍କ ଫାର୍ମର ଜଣେ ଗ୍ରାହକ ପରାମର୍ଶ ଦେଇଥିବା ପିଟର କହିଛନ୍ତି। ଏହି ପରାମର୍ଶ ପାଇବା ପରେ ସେ ସଙ୍ଗେ ସଙ୍ଗେ କରୁମ୍ବୀର ଚେକ୍‌ଅପ୍‌ ପାଇଁ ଜଣେ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଥିଲେ। ପ୍ରାଣୀ ଚିକିତ୍ସକ କରୁମ୍ବୀର ଉଚ୍ଚତା, ଓଜନ ଆଦିର ମାପ ନେବା ସହ ଏହାର ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। କରୁମ୍ବୀ ଏକ ସୁସ୍ଥ, ପୂର୍ଣ୍ଣ ବିକଶିତ ମା’ ଛେଳି, ଯାହାର ଆକାର ଅସାଧାରଣ ମାତ୍ରାରେ ଛୋଟ ରହିଛି ବୋଲି ଚେକ୍‌ଅପ୍‌ରୁ ଜଣାପଡ଼ିଥିଲା। ଏହା ଜାଣିବା ପରେ ପିଟର କରୁମ୍ବୀର ତଥ୍ୟ ସହ ସବୁଠୁ ଛୋଟ ଛେଳି ବର୍ଗରେ ରେକର୍ଡ ପାଇଁ ଜିଡବ୍ଲ୍ୟୁଆର୍‌ ନିକଟରେ ଆବେଦନ କରିଥିଲେ। ଭବିଷ୍ୟତରେ ସେ କରୁମ୍ବୀ ଓ ତା’ର ହେବାକୁ ଥିବା ନୂତନ ଶିଶୁର ଉପଯୁକ୍ତ ଯତ୍ନ ନେବେ ବୋଲି ପିଟର କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button