ଦେଶ- ବିଦେଶ

ଜାମିନ ପରେ ବିଜୟ ଶୋଭାଯାତ୍ରାରେ ବାହାରିଲେ ବଳାତ୍କାର ଅଭିଯୁକ୍ତ

ବେଙ୍ଗାଲୁରୁ:କର୍ନାଟକର ହାବେରୀ ଜିଲାର ବହୁ ଚର୍ଚ୍ଚିତ ହନାଗଲ ଗଣବଳାତ୍କାର ମାମଲାରେ ୭ ମୁଖ୍ୟ ଅଭିଯୁକ୍ତଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ୧୬ ମାସ ପରେ ଜେଲରୁ ମୁକୁଳିବା ପରେ ଏହି ଅଭିଯୁକ୍ତମାନଙ୍କ ପାଇଁ ଏକ ରୋଡ୍‌ଶୋ’ର ଆୟୋଜନ ହୋଇଥିଲା। ହାଭେରୀ ଉପ କାରାଗାରୁ ଅଭିଯୁକ୍ତମାନେ ୩୦ କିଲୋମିଟର ଦୂର ଜିଲାର ଅକ୍କି-ଅଲୁର ସହରକୁ ଏକ ବିଜୟ ଶୋଭାଯାତ୍ରା କରି ଯାଇଥିଲେ। ଏହି ଶୋଭାଯାତ୍ରାରେ ୭ ଅଭିଯୁକ୍ତଙ୍କ ସହ ସେମାନଙ୍କର ୨୦ରୁ ଅଧିକ ସମର୍ଥକ ଅନେକ କାର୍‌ ଏବଂ ବାଇକ୍‌ ଯୋଗେ ସାମିଲ ହୋଇଥିଲେ। ସେମାନେ ଉଚ୍ଚ ଧ୍ୱନିରେ ଗୀତ ବଜାଇବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିଯୁକ୍ତମାନେ ଖୁସି ଏବଂ ଉଲ୍ଲାସର ସହ ବିଜୟ ସଙ୍କେତ ଦେଖାଉଥିବାର ନଜରକୁ ଆସିଥିଲେ।

ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ଶୁକ୍ରବାର ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବେଆଇନ୍‌ ଶୋଭାଯାତ୍ରା ଏବଂ ବେପରୁଆ ଗାଡ଼ି ଚାଳନା ପାଇଁ ପୋଲିସ ନିଜ ଆଡ଼ୁ ଏଫ୍‌ଆଇଆର୍‌ ରୁଜୁ କରିବା ସହ ହନାଗଲ ଗଣବଳାତ୍କାର ମାମଲାର ୭ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଣିଥରେ ଗିରଫ କରିଛି। କୋର୍ଟଙ୍କ ଜାମିନ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବାରୁ ଏହି ୭ ଅଭିଯୁକ୍ତଙ୍କୁ ପୁଣିଥରେ ଗିରଫ କରାଯାଇଥିବା ନେଇ ହାଭେରୀ ଏସ୍‌ପି ଅନ୍‌ଶୁ କୁମାର ଶ୍ରୀବାସ୍ତବ କହିଛନ୍ତି।

ଗଣବଳାତ୍କାର ମାମଲାର ୭ ମୁଖ୍ୟ ଅଭିଯୁକ୍ତ ଆଫ୍‌ତାବ ଚନ୍ଦନ କଟ୍ଟି, ମଦାର ସାବ୍‌ ମଣ୍ଡକୀ, ସମୀଉଲ୍ଲା ଲାଲନଓ୍ବର, ମହମ୍ମଦ ସାଦିକ ଅଗାସୀମାନି, ସୋଏବ ମୁଲ୍ଲା, ତୌସିପ୍‌ ଛୋଟି ଏବଂ ରିଆଜ୍‌ ସାବିକେରୀଙ୍କୁ ହାଭେରୀ ସେସନ୍‌ କୋର୍ଟ ଗତ ୨୦ ତାରିଖରେ ଜାମିନ ପ୍ରଦାନ କରିଥିଲେ। କୋର୍ଟରେ ପୀଡ଼ିତା ଏହି ଅଭିଯୁକ୍ତମାନଙ୍କୁ ଚିହ୍ନି ପାରି ନ ଥିବାରୁ ସେମାନଙ୍କୁ ଜାମିନ ମିଳିଥିଲା। ପ୍ରକାଶ ଯେ, ଗତବର୍ଷ ଜାନୁଆରୀ ୮ରେ ହାଭେରୀସ୍ଥିତ ଏକ ହୋଟେଲରେ ରହୁଥିବା ଆନ୍ତଃଧର୍ମୀୟ ଦମ୍ପତିଙ୍କ ରୁମ୍‌ରେ କେତେଜଣ ଦୁର୍ବୃତ୍ତ ହଠାତ ପ୍ରବେଶ କରି ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଘୋଷାଡ଼ି ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ତାଙ୍କୁ ଗଣ ବଳାତ୍କାର କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୭ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମୁଦାୟ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ଅନ୍ୟ ୧୨ ଅଭିଯୁକ୍ତ ୧୦ ମାସ ତଳେ ଜାମିନରେ ମୁକୁଳିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button