ଦେଶ- ବିଦେଶ

ରାହୁଲଙ୍କ ‘ମୃତ ଅର୍ଥନୀତି’ ମନ୍ତବ୍ୟ ନେଇ ଝଡ଼

ନୂଆଦିଲ୍ଲୀ: ମୋଦୀ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କରିବା ଓ ଏହା ସପକ୍ଷରେ ବୟାନ ଦେବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଡ଼ୁଆ ସୃ‌ଷ୍ଟି କରିଛି। କାରଣ ତାଙ୍କ ନିଜ ଦଳର ଅନ୍ୟ ନେତା ତଥା ସହଯୋଗୀ ଦଳଗୁଡ଼ିକ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ରାହୁଲ ଗାନ୍ଧୀ ଟ୍ରମ୍ପଙ୍କ ମନ୍ତବ୍ୟକୁ ସମର୍ଥନ କରି କେନ୍ଦ୍ରକୁ ସମାଲୋଚନା କରିଥିବା ବେଳେ ତାଙ୍କ ଦଳର ବରିଷ୍ଠ ନେତା ଶଶୀ ଥରୁର ଓ ରାଜୀବ ଶୁକ୍ଳା ଭାରତୀୟ ଅର୍ଥନୀତିର ଶକ୍ତି ବିଷୟରେ ରାହୁଲଙ୍କୁ ପରୋକ୍ଷରେ ଚେତାଇ ଦେଇଛନ୍ତି। ଥରୁର କହିଛନ୍ତି ଯେ ୱାସିଂଟନ୍ ଡିସିର ଅଯଥା ଦାବି ପ୍ରତି ନୂଆଦିଲ୍ଲୀ କର୍ଣ୍ଣପାତ କରିବା ଉଚିତ ନୁହେଁ। ବିରୋଧୀ ଦଳର ପ୍ରମୁଖ ସ୍ୱର ତଥା ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଟ୍ରମ୍ପଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏଭଳି ଦାବି କେବଳ ଅହଂକାର କିମ୍ବା ଅଜ୍ଞତା ହେତୁ ଆସିପାରେ।

ଟ୍ରମ୍ପଙ୍କ ଭାରତ-ରୁଷ୍‌ ବିରୋଧୀ ବୟାନର କିଛି ସମୟ ପରେ ରାହୁଲ ଗାନ୍ଧୀ ସଂସଦରେ ସାମ୍ବାଦିକମାନଙ୍କୁ ଟ୍ରମ୍ପଙ୍କ ବୟାନକୁ ସମର୍ଥନ କରି ମନ୍ତବ୍ୟ ଦେଇଥିଲେ ଏବଂ କହିଥିଲେ ‘ମୁଁ ଖୁସି ଯେ ରାଷ୍ଟ୍ରପତି ଟ୍ରମ୍ପ ସତ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ଅର୍ଥନୀତିକୁ ହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରି ରାହୁଲ ଗାନ୍ଧୀ ଏହି ପରିସ୍ଥିତି ପାଇଁ ବିମୁଦ୍ରାୟନ ଓ ତ୍ରୁଟିପୂର୍ଣ୍ଣ ଜିଏସ୍‌ଟିକୁ ଦାୟୀ କରିଛନ୍ତି। ଆମେରିକା ଓ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଆହ୍ୱାନପୂର୍ଣ୍ଣ ବୋଲି ଗୁରୁତ୍ୱାରୋପ କରି ବରିଷ୍ଠ କଂଗ୍ରେସ ନେତା ଥରୁର କହିଛନ୍ତି, ଇୟୁ ସହିତ ଆମର ଆଲୋଚନା ଜାରି ରହିଛି, ଆମେ ବ୍ରିଟେନ ସହିତ ଏକ ଚୁକ୍ତି କରିସାରିଛୁ ଏବଂ ଆମେ ଅନ୍ୟ ଦେଶମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରୁଛୁ। ଯଦି ଆମେ ଆମେରିକାରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ ନାହିଁ, ତେବେ ଆମକୁ ଆମେରିକା ବାହାରେ ଆମର ବଜାରରେ ବିବିଧତା ଆଣିବାକୁ ପଡ଼ିପାରେ। ଆମ ପାଖରେ ବିକଳ୍ପର ଅଭାବ ନାହିଁ। ତିରୁଅନନ୍ତପୁରମ୍ ସାଂସଦ ଆହୁରି କହିଛନ୍ତି ଯେ ଯଦି ଆମେରିକା ତା’ର ଅଯଥାର୍ଥ ଦାବିକୁ ନେଇ ଅଡ଼ିବସେ, ତେବେ ଭାରତ ଅନ୍ୟତ୍ର ତା’ର କାରବାର କରିବା ଦରକାର। ଏହା ହିଁ ଭାରତର ଶକ୍ତି; ଆମେ ଚୀନ୍ ପରି ସମ୍ପୂର୍ଣ୍ଣ ରପ୍ତାନି ନିର୍ଭରଶୀଳ ଅର୍ଥନୀତି ନୁହେଁ। ଆମର ଏକ ଭଲ ଓ ଶକ୍ତିଶାଳୀ ଘରୋଇ ବଜାର ଅଛି।

ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା କହିଛନ୍ତି ଯେ ଟ୍ରମ୍ପଙ୍କ ବୟାନ ସମ୍ପୂର୍ଣ୍ଣ ଭୁଲ। ଆମର ଅର୍ଥନୈତିକ ସ୍ଥିତି ଆଦୌ ଦୁର୍ବଳ ନୁହେଁ। ଯଦି କେହି ଦାବି କରନ୍ତି ଯେ ସେମାନେ ଆମକୁ ଅର୍ଥନୈତିକ ଭାବରେ ଶେଷ କରିପାରିବେ, ତେବେ ଏହା ଭୁଲ। ଟ୍ରମ୍ପ ଏକ ଭ୍ରମରେ ରହୁଛନ୍ତି। ପରେ ଆମେରିକା-ପାକିସ୍ତାନ ତୈଳ ଚୁକ୍ତି ସମ୍ପର୍କରେ ସୂଚନା ଦେଇ ଶୁକ୍ଳା କହିଛନ୍ତି, ପାକିସ୍ତାନ ସହ ସେମାନଙ୍କର ତୈଳ ଚୁକ୍ତି ଆମକୁ ଚିନ୍ତିତ କରେ ନାହିଁ। କଂଗ୍ରେସ ସାଂସଦ ଶୁକ୍ଳା କହିଛନ୍ତି, ଟ୍ରମ୍ପ କହୁଛନ୍ତି ଯେ ଭାରତ ଓ ରୁଷିଆର ଅର୍ଥନୀତି ମରିଯାଇଛି, ଏହା ଭୁଲ। ପିଭି ନରସିଂହ ରାଓ ଓ ମନମୋହନ ସିଂହଙ୍କ ସମୟରେ ଅର୍ଥନୈତିକ ସଂସ୍କାର କରାଯାଇଥିଲା। ଅଟଳ ବିହାରୀ ବାଜପେୟୀ ସେହି ସଂସ୍କାରକୁ ଗ୍ରହଣ କରିଥିଲେ। ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ରହିଛି। ଏହାକୁ ଏକ ମୃତ ଅର୍ଥନୀତି ବୋଲି କହିବା କେବଳ ଅହଂକାର କିମ୍ବା ଅଜ୍ଞତାର ପରିଚାୟକ। ଏକ୍ସରେ ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି ଯେ ଭାରତରେ ଅର୍ଥନୈତିକ ଚ୍ୟାଲେଞ୍ଜ ରହିଛି ଏବଂ ମୁଣ୍ଡପିଛା ଆୟ ଉପରେ କାମ କରିବାର ଆବଶ୍ୟକତା ରହିଛି, କିନ୍ତୁ ଏହାର ଅର୍ଥନୈତିକ ଆହ୍ୱାନ ମୃତ ଅର୍ଥନୀତି ସହିତ ସମାନ ନୁହେଁ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଉପରେ ଜବାବ ରଖିଛି ବିଜେପି। ଦଳର ବରିଷ୍ଠ ନେତା ଅମିତ ମାଲବ୍ୟ କହିଛନ୍ତି ଯେ କଂଗ୍ରେସ ନେତା ଟ୍ରମ୍ପଙ୍କ ‘ମୃତ ଅର୍ଥନୀତି’ର ମନ୍ତବ୍ୟକୁ ଦୋହରାଇ ଏକ ନୂତନ ନିମ୍ନସ୍ତରକୁ ଛୁଇଁଛନ୍ତି। ଏହା ଭାରତୀୟ ଲୋକଙ୍କ ଆକାଂକ୍ଷା, ଉପଲବ୍ଧି ଓ କଲ୍ୟାଣ ପ୍ରତି ଲଜ୍ଜାଜନକ ଅପମାନ। ସତ କହିବାକୁ ଗଲେ ଏଠାରେ ପ୍ରକୃତରେ କେବଳ ରାହୁଲ ଗାନ୍ଧୀଙ୍କ ରାଜନୈତିକ ବିଶ୍ୱସନୀୟତା ଓ ପରମ୍ପରା ହିଁ ‘ମରିଯାଇଛି’। ବିଶ୍ୱ ମାନ୍ଦାବସ୍ଥା ଭିତରେ ମଧ୍ୟ ଆଇଏମ୍‌ଏଫ୍‌ ଓ ବିଶ୍ୱବ୍ୟାଙ୍କ ଭାରତର ଅଭିବୃଦ୍ଧି ଆକଳନକୁ ଉନ୍ନତ କରିବା ସହିତ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ବୋଲି କହିଛନ୍ତି। ପ୍ରକୃତରେ ରାହୁଲ ଗାନ୍ଧୀ କାହା ପାଇଁ କହୁଛନ୍ତି? ଭାରତକୁ ଦୁର୍ବଳ କରୁଥିବା ବିଦେଶୀ ପ୍ରଚାରର ପୁନରାବୃତ୍ତି କାହିଁକି କରୁଛନ୍ତି ବୋଲି ମାଲବ୍ୟ ପ୍ରଶ୍ନ କରିଛନ୍ତି। ବିଜେପି ନେତା କେ ଆନ୍ନାମଲାଇ, ଶଶୀ ଥରୁର-ରାହୁଲ ଗାନ୍ଧୀଙ୍କ ମଧ୍ୟରେ ତୁଳନା କରିଛନ୍ତି। ସେ କହିଛନ୍ତି, ଆଜି ସମାନ ପ୍ରସଙ୍ଗରେ କଂଗ୍ରେସର ଦୁଇ ଜଣ ନେତାଙ୍କ ମନ୍ତବ୍ୟ ଦେଖିବାକୁ ମିଳିଛି। ଜଣେ ଭାରତର ସ୍ୱାର୍ଥ ପାଇଁ କହିଥିଲେ ଏବଂ ଅନ୍ୟଜଣେ ନିଜ ବିଦେଶୀ ମାଲିକଙ୍କୁ ଖୁସି କରିବା ଭଳି ସ୍ୱରରେ କହିଥିଲେ। ରାହୁଲ ଗାନ୍ଧୀଙ୍କୁ ଭାରତର ଉନ୍ନତି ଦେଖାଯାଉ ନାହିଁ ଏବଂ ସେ ବିଦେଶୀ ସ୍ୱରକୁ ପ୍ରତିଫଳିତ କରିବାକୁ ସବୁବେଳେ ଆଗ୍ରହୀ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button