ଦେଶ- ବିଦେଶ

ୟୁକ୍ରେନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କାଟି ଖଣ୍ଡଖଣ୍ଡ କରାଯାଇଥିଲା

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜେଲ୍‌ରେ ଯେଉଁ ନିର୍ଯାତନାର କାହାଣୀ ସାମ୍ନାକୁ ଆସୁଛି ତାହା ଅତ୍ୟନ୍ତ ଭୟଙ୍କର। ସଦ୍ୟତମ ମାମଲା ହେଉଛି ୨୭ ବର୍ଷୀୟ ୟୁକ୍ରେନୀୟ ସାମ୍ବାଦିକା ଭିକ୍ଟୋରିଆ ରୋଶଚିନାଙ୍କର। ସେ ରୁଷିଆ ଅଧିକୃତ ଅଞ୍ଚଳରେ ରିପୋର୍ଟିଂ କରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ମାସ ମାସ ଧରି ବନ୍ଦୀ ଭାବେ ରଖାଯାଇ ନିର୍ଯାତନା ଦିଆଯିବା ପରେ, ତାଙ୍କୁ ଏକ ମୃତଦେହ ବ୍ୟାଗରେ ଫେରାଇ ଦିଆଯାଇଥିଲା। ତାଙ୍କ ଆଖି, ମସ୍ତିଷ୍କ ଏବଂ ଗଳା କାଟି ବାହାର କରିଦିଆଯାଇଥିଲା ଏବଂ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା। ଏହି ଜେଲ୍‌ଟି ଚାମ୍ବର ଅପ୍‌ ଡେମନ୍ସ ଭାବରେ କୁଖ୍ୟାତ। ଯେଉଁଠାରେ ବୈଦ୍ୟୁତିକ ଚେୟାର, ଓଲଟା ଝୁଲାଇ ରଖିବା, ମାଡ଼ ଦେବା ଏବଂ ଖାଇବାକୁ ନଦେଇ ଭୋକରେ ରଖି ନିର୍ଯାତନା‌ ଦେବା ଏକ ସାଧାରଣ ଘଟଣା। ଏହି ଘଟଣା ଏବେ ସାରା ବିଶ୍ୱରେ ମାନବାଧିକାର ପ୍ରତି ଆକ୍ରୋଶ ସୃଷ୍ଟି କରୁଛି।

ଚାମ୍ବର ଅପ୍‌ ଡେମନ୍ସ କୁହାଯାଉଥିବା ଟାଗାନରୋଗର ଏସଆଇଜେଡଓ ନମ୍ବର-୨ ଜେଲ୍ ଏବେ ନିର୍ଯାତନାର ସ୍ଥାନ ପାଲଟିଛି। ଏହି ସ୍ଥାନ, ଯାହା ପୂର୍ବରୁ ପିଲା ଏବଂ ମା’ମାନଙ୍କ ପାଇଁ ଏକ ଜେଲ୍ ଥିଲା, ଏବେ ୟୁକ୍ରେନୀୟ କଏଦୀମାନଙ୍କୁ ନିର୍ଯାତନା ଦେବା ପାଇଁ ରୁଷିଆନ ଏଜେନ୍ସିଗୁଡ଼ିକ ଦ୍ୱାରା ଏକ ନିର୍ଯାତନା ଗୃହରେ ପରିଣତ କରାଯାଇଛି। ଏଠାକୁ ଅଣାଯାଇଥିବା କଏଦୀମାନଙ୍କୁ ଆଖିରେ ପଟି ବାନ୍ଧି, ହାତ ବାନ୍ଧି ଏବଂ ମାଡ଼ ଦିଆଯାଇଥାଏ। ପୂର୍ବତନ କଏଦୀମାନେ କହିଛନ୍ତି ଯେ, ଏଠାରେ ବିଦ୍ୟୁତ୍ ଚେୟାର ଏବଂ ଓଲଟା ଝୁଲାଇ ଦେବା ଭଳି ଭୟଙ୍କର ନିର୍ଯାତନା ଦିଆଯାଉଛି। ଭିକ୍ଟୋରିଆଙ୍କୁ ମଧ୍ୟ ଏହି ଜେଲ୍‌କୁ ଅଣାଯାଇଥିଲା, ଯେଉଁଠାରେ ତାଙ୍କୁ ଅମାନବୀୟ ନିର୍ଯାତନା ଦିଆଯାଇଥିଲା। ଭିକ୍ଟୋରିଆଙ୍କୁ ପ୍ରଥମେ ଏନରଗୋଡରରେ ଏବଂ ତା’ପରେ ମେଲିଟୋପୋଲରେ ବନ୍ଦୀ କରାଯାଇଥିଲା, ଯେଉଁଠାରେ ତାଙ୍କୁ ଚାରି ମାସ ଧରି ନିର୍ମମ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବା ପରେ, ତାଙ୍କୁ ଏସଆଇଜେଡଓ-୨କୁ ପଠାଯାଇଥିଲା।

ଏଠାରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ୟୁକ୍ରେନୀୟ ତଦନ୍ତକାରୀଙ୍କ ଅନୁଯାୟୀ, ତାଙ୍କ ଶରୀରରେ ବିଦ୍ୟୁତ୍ ଆଘାତ, ତାଙ୍କର ପଞ୍ଜରା ଭଙ୍ଗା ଯାଇଥିଲା, ଆଖିରୁ ରକ୍ତ ଝରୁଥିବା ଏବଂ ବେକ ହାଡ଼ ଭାଙ୍ଗି ଯାଇଥିବା ଦେଖାଯାଇଥିଲା। ଏସବୁ ସୂଚାଇ ଦେଉଛି ଯେ, ହତ୍ୟା ପୂର୍ବରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ଫେବ୍ରୁଆରିରେ ୭୫୭ ୟୁକ୍ରେନୀୟ ମୃତଦେହ ବିନିମୟରେ ତାଙ୍କ ମୃତଦେହକୁ ଫେରାଇ ଦିଆଯାଇଥିଲା। କିନ୍ତୁ ମୃତଦେହ ଉପରେ ‘ଏକ ଅଜଣା ପୁରୁଷ’ ଭାବରେ ଲେବଲ୍ କରାଯାଇଥିଲା ଯାହାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଡିଏନଏ ପରୀକ୍ଷାରୁ ଜଣାପଡିଛି ଯେ, ମୃତଦେହଟି ଭିକ୍ଟୋରିଆ ରୋଶଚିନାଙ୍କର। ତାଙ୍କୁ ଦୀର୍ଘଦିନ ଧରି ଖାଇବାକୁ ଦିଆଯାଇ ନଥିଲା। ତାଙ୍କୁ ଲଣ୍ଡା କରାଯାଇଥିଲା ଏବଂ ବେକକୁ ଭାଙ୍ଗିଦିଆ ଯାଇଥିଲା। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ନିର୍ଯାତନା ପୂର୍ବରୁ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକୁ କାଟି କଢ଼ାଯାଇଥିଲା, ଯାହା ଫଳରେ ମୃତ୍ୟୁର ତଦନ୍ତ କଷ୍ଟକର ହୋଇପଡୁଛି। ଭିକ୍ଟୋରିଆଙ୍କୁ ତାଙ୍କ ସାହସିକତା ପାଇଁ ୨୦୨୨ ମସିହାରେ ‘ସାହସିକତାରେ ସାମ୍ବାଦିକତା ପୁରସ୍କାର’ ପ୍ରଦାନ କରାଯାଇଥିଲା। ସେ ମାରିଉପୋଲ ଏବଂ ୟୁକ୍ରେନର ଅନ୍ୟାନ୍ୟ ଅଧିକୃତ ଅଞ୍ଚଳରୁ ଗ୍ରାଉଣ୍ଡ ରିପୋର୍ଟିଂ କରୁଥିଲେ। ଏବେ ତାଙ୍କ ମୃତ୍ୟୁ ଏକ ପ୍ରତୀକ ପାଲଟିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button