କୁଏତ୍ରେ ଗଞ୍ଜାମ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କୁଏତ୍ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ‘ଜୟ ଜଗନ୍ନାଥ’ କହି ଅଭିନନ୍ଦନ ଜଣାଇଲେ ମୋଦି । କିଛି ସମୟ ଏହି ଓଡ଼ିଆ ଶ୍ରମିକଙ୍କ ସହ କଥାବାର୍ତ୍ତା ବି କଲେ । ଓଡ଼ିଶାରେ ବିଶାଳ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରମିକ।
ନିକଟରେ ୨ ଦିନିଆ କୁଏତ୍ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁଏତ୍ର ମୀନା ଅବଦୁଲ୍ଲା ଅଞ୍ଚଳରେ ଏକ ଶ୍ରମ ଶିବିର ପରିଦର୍ଶନ କରିଛନ୍ତି ମୋଦି । ଯେଉଁଥିରେ ପାଖାପାଖି ୧୫୦୦ ଭାରତୀୟ ନାଗରିକ କାମ କରୁଛନ୍ତି । ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମୋଦି । ଏଠାରେ କାମ କରୁଥିବା ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ବବୁଲ ନାମକ ଜଣେ ଯୁବକଙ୍କ ସହ କଥା ହୋଇଥିଲେ । ପ୍ରଥମେ ତାଙ୍କୁ ‘ଜୟ ଜଗନ୍ନାଥ’ କହି ଅଭିନନ୍ଦନ ଜଣାଇଥିଲେ । ମୋଦି ତାଙ୍କ ଜନ୍ମସ୍ଥାନ, ଶିକ୍ଷା ଏବଂ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଗଞ୍ଜାମର ଖଲିକୋଟରେ ପାଠ ସରିବା ପରେ ୧୬ ମାସ ହେଲା ଗଲ୍ଫ ସ୍ପିକ୍ର ଧାତୁ ବିଭାଗରେ କାର୍ଯ୍ୟ କରୁଥିବା କହିଥିଲେ ବବୁଲ। ଓଡ଼ିଶାରେ ଭାରତୀୟ ପ୍ରବାସୀ ଦିବସ ନେଇ ଧନ୍ୟବାଦ ଜଣାଇଲେ ବବୁଲ । ଓଡିଶା ବିଶ୍ୱ ଆଗରେ ଐତିହ୍ୟ ଓ ସଂସ୍କୃତି ଦେଖିବାର ସୁଯୋଗ ପାଇବ ।
ଏଠାରେ କହି ରଖୁଛୁ, ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ୍ ଗସ୍ତରେ ଯାଇଛନ୍ତି । କୁଏତ୍ର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଏହି ଗସ୍ତରେ କରିଥିଲେ । ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।