ଅସ୍ତ୍ରବିରତି ପରେ ଉଡ଼ୁନି ଡ୍ରୋନ୍, ଶୁଭୁନି ଗୁଳିର ଗର୍ଜନ

ନୂଆଦିଲ୍ଲୀ: ଆଜି ଗୁରୁବାର… ୧୫ ମେ’ ୨୦୨୫, କିନ୍ତୁ ଆପଣ ଟିକେ ପଛକୁ ଫେରି ଯାଆନ୍ତୁ ମାନେ ଗତ ଗୁରୁବାର କଥା ମନେପକାନ୍ତୁ । ଯେତେବେଳେ ସାରା ଭାରତରେ ଯୁଦ୍ଧକୁ ନେଇ ଗରମ ଥିଲା ମାହୋଲ । ସୀମାରେ ଥିଲା ଭୟ ଓ ଆତଙ୍କର ରାତି । ପହଲଗାମ୍ ବଦଲା ନେବାକୁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ ଶକ୍ତ ପ୍ରହାର ହୋଇଥିଲା । ଆକାଶରୁ ଏୟାର ଷ୍ଟ୍ରାଇକ୍ କରି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦିଆଯାଇଥିଲା । ଯାହା ପରେ ବିଳିବିଳେଇ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ରାଗରେ ନିରୀହ ଲୋକଙ୍କୁ ଗୁଳିମାଡ କରିଥିଲା ।
ସଞ୍ଜ ନଇଁଲେ ସକ୍ରିୟ ହେଉଥିଲା ସୈତାନ ପାକିସ୍ତାନ, ଗତ ଗୁରୁବାର ଦିନରେ ତ ଯୁଦ୍ଧକୁ ନେଇ ଛକାପଞ୍ଝା ଚାଲିଥିଲା ହେଲେ ରାତି ହେଲା ବେଳକୁ ପାକିସ୍ତାନ ପଟୁ ଆସିଥିଲା ଶହ ଶହ ଡ୍ରୋନ, ଫୁଟିଥିଲା ଗୁଳି… ଭୟ ଆତଙ୍କରେ ଥିଲେ ଜାମ୍ମୁକାଶ୍ମୀର, ରାଜସ୍ଥାନ, ପଞ୍ଜାବ ଭଳି ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ । ଭାରତ ଆତଙ୍କୀଙ୍କୁ ନିପାତ କରିଥିଲା ହେଲେ ପାକିସ୍ତାନ ସାଧାରଣ ନାଗରିକଙ୍କୁ ମାରିଥିଲା । ଯଦିଓ ଭାରତ ପାକିସ୍ତାନର ସବୁ ମିସାଇଲ୍ ଓ ଡ୍ରୋନକୁ ନଷ୍ଟ କରିଥିଲା ହେଲେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ସ୍ଥାନରେ ବ୍ଲାକ ଆଉଟ୍ କରାଯାଇଥିଲା ଆଉ ସମସ୍ତଙ୍କୁ ଘରେ ରହିବାକୁ କୁହାଗଲା ।
ଲଗାତାର ୩ ଦିନ ଧରି ଯୁଦ୍ଧ ଭଳି ପରିସ୍ଥିତି ଭିତରେ ଲୋକେ ଜୀବନ ବିତାଇବା ସହ ସେମାନଙ୍କ ଜନଜୀବନ ଠପ୍ ହୋଇଯାଇଥିଲା । ହେଲେ ଗତ ୧୦ ତାରିଖରେ ଭାରତ- ପାକିସ୍ତାନ ଅସ୍ତ୍ରବିରତି ଘୋଷଣା ପରେ ସୀମାରେ ଫେରିଛି ଶାନ୍ତି । ଡିଜିଏମଓ ସ୍ତରୀୟ ବୈଠକରେ ଗୋଟେ ବି ଗୁଳି ନଫୁଟିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା କାଏମ ରହିଛି । ସୀମାବର୍ତ୍ତୀ ଅଞ୍ଚଳରେ ରାତି ହେଲେ ନା ଗୁଳି ଫୁଟୁଛି ନା ଡ୍ରୋନ୍ ଉଡୁଛି । ଆଜିକୁ ୫ ଦିନ ହେବ ଶାନ୍ତିର ରାତି କଟିଛି । ନା ଭୟ ନା ଆଶଙ୍କା… ସବୁକିଛି ଠିକ୍ ଠାକ୍, ସବୁକିଛି ସ୍ବାଭାବିକ…
ଖୋଲିଛି ଜାମ୍ମୁ, ପଞ୍ଜାବ, ରାଜସ୍ଥାନର ସମସ୍ତ ସ୍କୁଲ, କଲେ, ଶିକ୍ଷାନୁଷ୍ଠାନ । ଦୋକାନ ବଜାର ବି ଖୋଲାଯାଇଛି । ରାସ୍ତାରେ ଗଡିଛି ଗାଡି ମଟର । ଲୋକେ ସକାଳ ବ୍ରମଣ ପାଇଁ ବି ବାହାରିଛନ୍ତି । ପୁଣି ପର୍ଯ୍ୟଟକ ବୁଲାବୁଲି ପାଇଁ ବାହାରିଛନ୍ତି, ଟ୍ରେନ୍, ବିମାନ ଚଳାଚଳ ସବୁ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିଛି ।