ରାଜ୍ୟ

ପରବ-୨୦୨୪ ଶୁଭାରମ୍ଭ : ପାରମ୍ପରିକ ନୃତ୍ୟଗୀତରେ ଦୁଲୁକିଲା ସେମିଳିଗୁଡ଼ା

ଜୟପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ଶୁଭାରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୪ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀର ମଉଳୀ ମା’ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଛି ଏହି ଉତ୍ସବ । ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା । ଏହି ଅବସରରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଗୀତରେ ପ୍ରକମ୍ପିତ ହୋଇ ପଡ଼ିଥିଲା ସେମିଳିଗୁଡା ବ୍ଲକ ।

ଆଜି ସକାଳ ୮ ଟା ସମୟରେ କୋରାପୁଟ ନିଶାଣୀମୁଣ୍ଡାଠାରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସେମିଳିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଉଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏହି ଲୋକ ମହୋତ୍ସବ ପାଇଁ ବିଗୁଲ ବାଜିଛି। ଉତ୍ସବରେ ସାମିଲ ହୋଇଥିଲେ ୧୪ ଟି ବ୍ଲକର ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ କଳାକାର ଓ ଜନସାଧାରଣ। ପ୍ରାୟ ୧୦ ହଜାର ଲୋକ ସମାଗମ ହୋଇଥିଲା । ନାଚଗୀତରେ ଦୁଲୁକି ପଡ଼ିଥିଲା ସେମିଳିଗୁଡା ବ୍ଲକ। ପରେ ବିରାଟ ମଶାଲ ଶୋଭାଯାତ୍ରା ବାହାରି ଗ୍ରାଉଣ୍ଡରେ ପହଞ୍ଚିଥିଲା। ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ଉଦଘାଟନୀ ଉତ୍ସବ ପରେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ସ୍ତରରେ ‘ପରବ’ ପାଳନ କରାଯିବ। ଏହା ପରେ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ କୋରାପୁଟରେ ଆୟୋଜନ କରାଯିବ। ଗାଁ ଗହଳିର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ‘ପରବ’ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍ତି ସ୍ଥାନୀୟ ଲୋକ ଓ କଳାକାର। ଏହି ଲୋକ ମହୋତ୍ସବକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଭରପୁର ଚେଷ୍ଟା କରାଯାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ। ଏହି ଉତ୍ସବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ କୋଟପାଡ଼ ବିଧାୟକ ରୂପ ଭତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ,ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋରାପୁଟ ଡ଼ିଆଇଜି , କୋରାପୁଟ ଆରକ୍ଷୀ ଅଧିକ୍ଷକ,ଡି. ଏମ୍ କୋରାପୁଟ, ପଞ୍ଚାୟତ ସମିତି ସେମିଳିଗୁଡା ସଭାପତି, ଦୁଧାରୀ ପଞ୍ଚାୟତ ସରପଞ୍ଚ, ଏଡିଏମ୍‌, ଜିଲ୍ଲା ପରିଷଦ ସଭାପତି ସଶ୍ମିତା ମେଲକା, ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜୟପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ।

ଜିଲ୍ଲା ସସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ହେବାକୁ ଥିବାଏହି ମହୋତ୍ସବ ଏକ ମାସ ଧରି ଚାଲିବ । ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀର ଚାଳନା, କବି ସମ୍ମିଳନୀ ଆଦି ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ଏହି ଉତ୍ସବରେ ଭାଗ ନେବେ। ଜିଲ୍ଲା ସ୍ତରରେ ମୁଖ୍ୟ ଉତ୍ସବ ୩ ଦିନ ପାଳିତ ହେଉଥିଲେ ମଧ୍ୟ ପଲ୍ଲୀଶ୍ରୀ ମେଳା ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ଉତ୍ସବକୁ ଉପଭୋଗ କରିବାପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button