ବ୍ରହ୍ମୋସ୍ ଆକ୍ରମଣରେ ପାକିସ୍ତାନ ଥରହର

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ନିଜର ଅପରିସୀମ ଶକ୍ତିର ପ୍ରମାଣ ଦେଇଥିବା ବେଳେ ଏବେ ଭାରତ-ପାକ୍ ଅସ୍ତ୍ରବିରତି ପଛର କାହାଣୀ ସାମ୍ନାକୁ ଆସିଛି। ଭାରତୀୟ ଅଞ୍ଚଳକୁ ଟାର୍ଗେଟ୍ କରି ପାକିସ୍ତାନର ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ, ପ୍ରତିଶୋଧ ସ୍ୱରୂପ ପାକିସ୍ତାନର ୧୦ଟି ଏୟାରବେସ୍କୁ ବ୍ରହ୍ମୋସ୍, ହାମର୍ ଓ ସ୍କାଲ୍ପ କ୍ଷେପଣାସ୍ତ୍ରରେ ଆକ୍ରମଣ ଏବଂ ପରମାଣୁ ଯୁଦ୍ଧର ଭୟାବହ ବିପଦ ଆଶଙ୍କା ପରେ ଆମେରିକୀୟ ବୈଦେଶିକ ସଚିବ ମାର୍କୋ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଲାଗୁ ହୋଇଛି।
ସରକାରଙ୍କ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ଭାରତର ପ୍ରତିଶୋଧମୂଳକ ଆକ୍ରମଣ ମେ ୭ରେ ହୋଇଥିବା ଅପରେସନ ସିନ୍ଦୂରଠାରୁ ବି ବଡ଼ ଥିଲା ଏବଂ ପାକିସ୍ତାନ ଅନୁଭବ କରିଥିଲା ଯେ ଏହା ବିନାଶର ସମ୍ମୁଖୀନ ହୋଇଛି ଏବଂ ଏହାର ପରମାଣୁ ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ ହେବାର ସମ୍ଭାବନା ରହିଛି। ପାକିସ୍ତାନ ଭାରତ ଉପରକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବାକୁ ସାହସ କରିବା ପରେ ଭାରତର ଅଭୂତପୂର୍ବ ପ୍ରତିଶୋଧ ଦେଖିବାକୁ ମିଳିଥିଲା। ରାୱଲପିଣ୍ଡିସ୍ଥିତ ପାକିସ୍ତାନ ସେନାର ଜେନେରାଲ ହେଡକ୍ୱାର୍ଟର ନିକଟରେ ଥିବା ନୁର୍ ଖାନ୍ ଏୟାର୍ବେସ୍ ସମେତ ଭାରତର କ୍ଷେପଣାସ୍ତ୍ର ସେମାନଙ୍କର ଅନେକ ଟାର୍ଗେଟ୍କୁ ଧ୍ବଂସ କରିଥିଲା।
ମାତ୍ର ୯୦ ମିନିଟ୍ ମଧ୍ୟରେ ଭାରତ ନୁର୍ ଖାନ୍ ଏୟାର୍ବେସ୍, ସୋରକୋଟର ରଫିକି ଏୟାର୍ବେସ୍, ପଞ୍ଜାବର ମୁରିଦ ଏୟାର୍ବେସ୍, ସିନ୍ଧର ସୁକୁର ଏୟାର୍ବେସ୍, ସିଆଲକୋଟ ଏୟାର୍ବେସ୍, ସରଗୋଧା ଏୟାର୍ବେସ୍, ସ୍କାର୍ଦୁ ଏୟାର୍ବେସ୍, କରାଚି ନିକଟରେ ଭୋଲାରି ଏୟାର୍ବେସ୍, ଜାକୋବାବାଦ ଏୟାର୍ବେସ୍ ଏବଂ ପାସରୁର ଏୟାର୍ଷ୍ଟ୍ରିପ୍ ଉପରେ ଆକ୍ରମଣ କରିଥିଲା। ଭାରତ ମଧ୍ୟ ଦ୍ରୁତ ଜବାବରେ ଚୁନିଆନ୍ ରାଡାର ପ୍ରତିଷ୍ଠାନକୁ ଉଡ଼ାଇ ଦେଇଥିଲା। ରାଫେଲ ଯୁଦ୍ଧ ବିମାନରୁ ଭାରତ ତା’ର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଏବଂ ହ୍ୟାମର୍ ଓ ସ୍କାଲ୍ପ କ୍ଷେପଣାସ୍ତ୍ରକୁ ଏହି ରଣନୈତିକ ଏୟାର୍ବେସ୍ଗୁଡ଼ିକ ଉପରେ ନିକ୍ଷେପ କରିଥିଲା।