ଦେଶ- ବିଦେଶ

ପିଓକେ ଫେରାଇ ଆଣିବା ଆମର ଲକ୍ଷ୍ୟ

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପାକିସ୍ତାନ ଭାରତକୁ ଅନୁରୋଧ କରିବାର ଗୋଟିଏ ଦିନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ଇସଲାମାବାଦ ସୀମାପାର ଆତଙ୍କବାଦ ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ। ଜୟଶଙ୍କର କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି ଏବଂ ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ହେବନାହିଁ। ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ ପାକ୍‌ ଅଧିକୃତ କାଶ୍ମୀର ହିଁ ଦ୍ବିପାକ୍ଷିକ ଆଲୋଚନାର ଏକମାତ୍ର ପ୍ରସଙ୍ଗ ହେବ। ପାକିସ୍ତାନର ବେଆଇନ ଦଖଲରେ ଥିବା ଏହି ଅଂଚଳକୁ ଫେରାଇ ଆଣିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ଜଳ ସମ୍ପଦ ମନ୍ତ୍ରଣାଳୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖି ଗତକାଲି ଜଣାଇଥିଲା ଯେ ସିନ୍ଧୁ ଜଳଚୁକ୍ତି ନିଲମ୍ବନ ଦ୍ୱାରା ପାକିସ୍ତାନରେ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି ହୋଇପାରେ। ଭାରତ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପାକିସ୍ତାନ ଅନୁରୋଧ କରିବାର ଗୋଟିଏ ଦିନ ପରେ ଜୟଶଙ୍କର ଏହି ପ୍ରତିକ୍ରିୟା ରଖିଛନ୍ତି। ୧୯୬୦ମସିହାରେ ସ୍ୱାକ୍ଷରିତ ଏବଂ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନକୁ ନିୟନ୍ତ୍ରଣ କରିଥାଏ । ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଅତି ବର୍ବରତାର ସହ ହତ୍ୟା କରିବା ପରେ ଏହି ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିଛି। ଏହାର ଜବାବରେ ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବା ନିମନ୍ତେ ବ୍ୟାପକ ରଣନୀତିର ଏକ ଅଂଶ ଭାବରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍) ଜଳ ବଣ୍ଟନ ଚୁକ୍ତିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସରକାରଙ୍କ ଦୃଢ଼ ଆଭିମୁଖ୍ୟକୁ ଦୋହରାଇ କହିଥିଲେ ଯେ ‘ଜଳ ଏବଂ ରକ୍ତ’ ଏକାଠି ପ୍ରବାହିତ ହୋଇପାରିବ ନାହିଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button