ଦିଲ୍ଲୀରେ ଏନ୍ଡିଏ ବୈଠକ: ‘ଜାତିଗତ ଗଣନା’ ଅବହେଳିତଙ୍କ ପାଇଁ ଆଶାର କିରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ‘ଅପରେସନ୍ ସିନ୍ଦୂର’ର ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ସାମରିକ ଆକ୍ରମଣ ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତୀୟ ସେନା ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ କରିଥିବାରୁ ଏହାକୁ ପ୍ରଶଂସା କରି ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଯେକୌଣସି ଆତଙ୍କବାଦୀ ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେଶ ଦେବ ବୋଲି ମଧ୍ୟ ଏହି ସଂକଳ୍ପରେ ଉଲ୍ଲେଖ କରାଯାଇଛି। ସେହିପରି ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ସରକାର ଘୋଷଣା କରିଥିବା ଜାତିଗତ ଜନଗଣନା ନିଷ୍ପତ୍ତି ଉପରେ ଦ୍ୱିତୀୟ ସଂକଳ୍ପ ପାରିତ ହୋଇଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସାଇନି ଜାତିଗତ ଗଣନା ଉପରେ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ। ଜାତିଗତ ଗଣନା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ, ଶାସକ ଏନ୍ଡିଏ ଜାତିଗତ ରାଜନୀତିରେ ବିଶ୍ୱାସ କରେ ନାହିଁ। କିନ୍ତୁ ଜାତି ଗଣନା ବିଭିନ୍ନ କ୍ଷେତ୍ରରେ ପଛରେ ପଡ଼ିଥିବା ଲୋକଙ୍କ ବିକାଶ କରିବାରେ ସାହାଯ୍ୟ କରିବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ‘ଅପରେସନ୍ ସିନ୍ଦୂର’ର ଅଭୂତପୂର୍ବ ସଫଳତା ପାଇଁ ଅଭିନନ୍ଦନ ଜଣାଇ ସଂକଳ୍ପ ଆଗତ କରିଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ଏହି ସଂକଳ୍ପକୁ ସମର୍ଥନ କରି ସଶସ୍ତ୍ର ବାହିନୀ ଏବଂ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ତଥା ରାଷ୍ଟ୍ର-ପ୍ରଥମ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଭାରତର ସାର୍ବଭୌମତ୍ୱ ଏବଂ ଜାତୀୟ ନିରାପତ୍ତା ପ୍ରତି ଏନ୍ଡିଏ ସରକାରଙ୍କ ପ୍ରତିବଦ୍ଧତା, ପ୍ରତିରକ୍ଷା ବାହିନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ ଐତିହାସିକ ସଂସ୍କାର – ‘ୱାନ୍ ରୢାଙ୍କ ୱାନ୍ ପେନସନ’, ସ୍ୱଦେଶୀକରଣ, ସୀମାରେ ଭିତ୍ତିଭୂମି ବିକାଶ ଏବଂ ଆଧୁନିକୀକରଣ ସଂପର୍କରେ ମଧ୍ୟ ଏହି ସଂକଳ୍ପରେ ଉଲ୍ଲେଖ କରାଯାଇଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୈଠକରେ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ଉପରେ ଏକ ପୁସ୍ତିକା ପ୍ରଦାନ କରିଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ‘ବସ୍ତରର ବିକାଶ ମଡେଲ ଏବଂ ସର୍ବୋତ୍ତମ ଅଭ୍ୟାସ’ ଉପରେ ଉପସ୍ଥାପନା କରିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ରାଜ୍ୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଉପରେ ଏକ ଉପସ୍ଥାପନା କରିଥିଲେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାମପନ୍ଥୀ ଉଗ୍ରବାଦ ବିଷୟରେ କହିଥିଲେ। ଅଶୋକା ହୋଟେଲରେ ଅନୁଷ୍ଠିତ ଏହି ବୈଠକରେ ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ପ୍ରାୟ ୨୦ଟି ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ଥିଲେ।