ଦେଶ- ବିଦେଶ

ମହିଳାଙ୍କ ହଙ୍ଗାମା, ବାଧ୍ୟ ହୋଇ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ମହିଳାଙ୍କ ଉତ୍‌ପାତ । ତାହାପୁଣି ଫ୍ଲାଇଟ୍ ଭିତରେ ସମ୍ପୂର୍ଣ୍ଣ ଉଲ୍ଲଗ୍ନ ହୋଇ । ଫ୍ଲାଇଟ୍‌ରୁ ତଳକୁ ଓହ୍ଲାଇବା ପାଇଁ ଜିଦ୍ ଧରିଲେ । ଏଥିସହ ବିମାନର କ୍ରିଉ ସଦସ୍ୟଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ମହିଳାଙ୍କ ଏପରି ରୂପ ଦେଖି ଅନ୍ୟ ଯାତ୍ରୀମାନେ ଲାଜରେ ତଳକୁ ମୁହଁ କରିଦେଲେ । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଆମେରିକାର ହ୍ୟୁଷ୍ଟନ୍‌ସ୍ଥିତ ଏୟାରପୋର୍ଟ ରନ୍‌ୱେରୁ ସାଉଥ୍ ୱେଷ୍ଟ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଆରମ୍ଭ କରିଥିଲା । କିଛି ସମୟ ପରେ ହଠାତ୍ ବିମାନ ମଧ୍ୟରେ ଥିବା ଜଣେ ମହିଳା ବିମାନରୁ ଓହ୍ଲାଇବା ପାଇଁ ଜିଦ୍ ଧରିିଥିଲେ। ତେବେ ଏହା ସମ୍ଭବ ନୁହେଁ ବୋଲି ତାଙ୍କୁ ବିମାନର କ୍ରିଉ ସଦସ୍ୟମାନେ କହିଲେ। ହେଲେ ସେ କିଛି ଶୁଣି ନ ଥିଲେ । ତଳକୁ ଓହ୍ଲାଇବା ପାଇଁ ନିଜ ଜିଦ୍‌ରେ ରହିଲେ । ପରେ ମହିଳା ଜଣକ ବିମାନ ମଧ୍ୟରେ ନିଜର ସମସ୍ତ ପୋଷାକ କାଢ଼ି ଉଲ୍ଲଗ୍ନ ହୋଇ ହଙ୍ଗାମା କରିବା ଆରମ୍ଭ କରିଦେଲେ। ସେ ଚଳନ୍ତା ବିମାନ ମଧ୍ୟରେ ଉଲଗ୍ନ ହୋଇ ଏପଟସେପଟ ହେବା ସହ ଅନ୍ୟ ଯାତ୍ରୀଙ୍କ ସମ୍ମୁଖରେ ତାଙ୍କୁ ଓହ୍ଲାଇବାକୁ ଦିଆଯାଉ ବୋଲି ଜୋରରେ ଚିତ୍କାର କଲେ। ଏହାସହ ସେ ବିମାନର କ୍ରିଉ ସଦସ୍ୟଙ୍କୁ ଗାଳିଗୁଲଜ ମଧ୍ୟ କରିଲେ।

ହ୍ୟୁଷ୍ଟନରୁ ଫିନିକ୍ସ ସ୍କାଏ ହାର୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯାଉଥିବା ଏକ ବିମାନରେ ମହିଳାଙ୍କର ଏହି ହାଇଭୋଲଟେଜ୍ ଡ୍ରାମା ପ୍ରାୟ ୨୫ ମିନିଟ ଧରି ଚାଲିଥିଲା। ଏହି ସମୟରେ ବିମାନର ଜଣେ କ୍ରିଉ ସଦସ୍ୟ ମହିଳାଙ୍କୁ ଏକ କମ୍ବଳରେ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ। ମହିଳା ଜଣକ ଉଲଗ୍ନ ହୋଇ ହଙ୍ଗାମା କରୁଥିବା ସମୟରେ ବିମାନ ମଧ୍ୟରେ ଥିବା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ଅସହଜ ଅନୁଭବ କରିଥିଲେ ।

ସ୍ଥିତି ବିଗିଡ଼ିବାରୁ ବିମାନଟିକୁ ପୁନର୍ବାର ହ୍ୟୁଷ୍ଟନ ଏୟାରପୋର୍ଟକୁ ଫେରିବାକୁ ବାଧ୍ୟ ହୋଇଥିଲା। ହ୍ୟୁଷ୍ଟନରେ ଉକ୍ତ ବିମାନ ଲାଣ୍ଡିଂ କରିବା ପରେ ମହିଳା ଜଣଙ୍କୁ ଗିରଫ କରିଥିଲା ପୋଲିସ। ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବିମାନ ମଧ୍ୟରେ ମହିଳାଙ୍କ ହାଇଭୋଲଟେଜ୍ ଡ୍ରାମା ଯୋଗୁ ଅନ୍ୟ ଯାତ୍ରୀମାନେ ଅସୁବିଧା ଭୋଗ କରିଥିବାରୁ ସାଉଥ୍ ୱେଷ୍ଟ ଏୟାରଲାଇନ୍ସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ କ୍ଷମା ମଗାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button