ଦେଶ- ବିଦେଶ

ପାକ୍‌କୁ ଚେତାବନୀ: ମହିଳାଙ୍କ ସିନ୍ଦୂର ପୋଛିଲେ ଅନ୍ତ ସୁନିଶ୍ଚିତ

ଦାହୋଦ: ଯେଉଁମାନେ ଭାରତର ମହିଳାମାନଙ୍କୁ କ୍ଷତି ପହଞ୍ଚାଇବେ କିମ୍ବା ଆତଙ୍କ ସୃଷ୍ଟି କରିବେ ସେମାନଙ୍କ ‘ଅନ୍ତ’ ସୁନିଶ୍ଚିତ। ଗୁଜରାଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାକିସ୍ତାନକୁ ଏଭଳି କଡ଼ା ବାର୍ତ୍ତା ଦେଇଛନ୍ତି। ଦାହୋଦ ଜିଲ୍ଲାରେ ଏକ ଜନସମାବେଶରେ ମୋଦୀ କହିଛନ୍ତି, ଯଦି କେହି ଆମ ଭଉଣୀମାନଙ୍କ ସିନ୍ଦୂର ହଟାଇବାକୁ ଦୁଃସାହସ କରନ୍ତି, ତା’ହେଲେ ତା’ର ଅନ୍ତ ପାଖେଇ ଆସିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କୁ ମନେ ପକାଇ ସେ କହିଛନ୍ତି, ସେମାନେ ବାପାଙ୍କୁ ତାଙ୍କ ପିଲାମାନଙ୍କ ସାମ୍ନାରେ ଗୁଳି କରିଥିଲେ। ସେହି ମୁହୂର୍ତ୍ତ ଦେଶକୁ ଦୋହଲାଇ ଦେଇଥିଲା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା। ଅପରେସନ୍‌ ସିନ୍ଦୂରର ସଫଳତା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଏପ୍ରିଲ ୨୨ ତାରିଖରେ ଯେଉଁମାନେ ଆକ୍ରମଣ କରିଥିଲେ, ଆମେ ସେମାନଙ୍କ ଆଡ଼ାସ୍ଥଳକୁ ୨୨ ମିନିଟ୍‌ରେ ଧୂଳିରେ ମିଶାଇ ଦେଇଥିଲୁ। ଅପରେସନ୍‌ ସିନ୍ଦୂର ପରେ ସୀମାପାର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୋଦୀ କହିଛନ୍ତି, ଭାରତର କାର୍ଯ୍ୟାନୁଷ୍ଠାନରେ ବ୍ୟଥିତ ହୋଇ ଯେତେବେଳେ ପାକିସ୍ତାନୀ ସେନା ବେପରୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ସେତେବେଳେ ଆମର ସଶସ୍ତ୍ର ବାହିନୀ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା ଏବଂ ଧୂଳି ଚାଟିବାକୁ ବାଧ୍ୟ କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ପାକିସ୍ତାନର ଲକ୍ଷ୍ୟ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରି କହିଛନ୍ତି ଯେ ବିଭାଜନ ପରଠାରୁ ପାକିସ୍ତାନର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତ ସହ ଶତ୍ରୁତା, ଭାରତକୁ ଘୃଣା କରିବା ଏବଂ ଆମର ପ୍ରଗତିକୁ ଅଟକାଇବାକୁ ଚେଷ୍ଟା କରିବା। କିନ୍ତୁ ଆମର କେବଳ ଗୋଟିଏ ଲକ୍ଷ୍ୟ ରହିଛି- ଆଗକୁ ବଢ଼ିବା, ଦାରିଦ୍ର୍ୟ ଦୂରୀକରଣ କରିବା ଏବଂ ଏକ ବିକଶିତ ଭାରତ ଗଠନ କରିବା। ପ୍ରକୃତରେ ବିକଶିତ ଭାରତ ସେତେବେଳେ ସମ୍ଭବ, ଯେତେବେଳେ ଆମର ସଶସ୍ତ୍ର ବାହିନୀ ଶକ୍ତିଶାଳୀ ହେବ ଏବଂ ଆମର ଅର୍ଥନୀତି ମଧ୍ୟ। ଆମେ ସେହି ଦିଗରେ ନିରନ୍ତର ପୂର୍ଣ୍ଣ ନିଷ୍ଠା ଓ ସଂକଳ୍ପ ସହିତ କାର୍ଯ୍ୟ କରୁଛୁ ବୋଲି ଦାହୋଦରେ ସମ୍ବୋଧିତ କରି ମୋଦୀ କହିଛନ୍ତି। ପହଲଗାମରେ ଘଟିଥିବା ଦୁଃଖଦ ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆତଙ୍କବାଦୀମାନେ ୧୪୦ କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ମୁଁ ସୁରକ୍ଷା ବାହିନୀକୁ ସ୍ବାଧୀନତା ଦେଇଥିଲି। ଅନେକ ଦଶନ୍ଧି ଧରି ବିଶ୍ୱ ଯାହା ଦେଖି ନ ଥିଲା ତାହା ଆମ ବୀରମାନେ କରି ଦେଖାଇଛନ୍ତି। ଆମେ ୯ଟି ଆତଙ୍କବାଦୀ ଶିବିର ଉପରେ ଚଢ଼ଉ କରି ୨୨ ମିନିଟ୍‌ରେ ସେଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲୁ।

ମୋଦୀ କହିଛନ୍ତି, ୨୦୧୪ରେ ଆଜିର ଦିନ (ମେ ୨୬)ରେ ମୁଁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲି। ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି। ଦେଶ ସବୁ କ୍ଷେତ୍ରରେ ଅଗ୍ରଗତି କରୁଛି। ଦାହୋଦରେ ପାଖାପାଖି ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରମୁଖ ପଦକ୍ଷେପ ମଧ୍ୟରେ ସେ ଏକ ଅତ୍ୟାଧୁନିକ ଲୋକୋମୋଟିଭ୍ ଉତ୍ପାଦନ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏକ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ୋଦରାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏଥିରେ ଭାରତୀୟ ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button