ପିଲା ପଢ଼ିବେ ବିତ୍ତୀୟ ସାକ୍ଷରତା

ଭୁବନେଶ୍ୱର: ମହାବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇଛି। ବାଣିଜ୍ୟ ସମେତ କଳା ଓ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଫାଇନାନ୍ସିଆଲ ଓ ମ୍ୟୁଚୁଆଲ ଭଳି କ୍ଷେତ୍ରରେ ତାଲିମ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ(ଏନ୍ଏସ୍ଆଇ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରତି ମହାବିଦ୍ୟାଳୟରୁ ୪୦ଜଣ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କଲେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଲେବୁଲ୍-୧ ଓ ଲେବୁଲ୍-୨ ସ୍ତରର ବିତ୍ତୀୟ ସାକ୍ଷରତା ସମ୍ପର୍କରେ ଶିକ୍ଷା ଦିଆଯିବ। ସମ୍ପୂର୍ଣ୍ଣ ମାଗଣାରେ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍ ଶିକ୍ଷା ଦିଆଯିବ।
ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭାଗୀୟ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଏନ୍ଏସ୍ଆଇ ଅଧିକାରୀ, ୩ଟି ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତିଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ଏହି ବୁଝାମଣା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଦୁଇ ପ୍ରକାର କୋର୍ସରେ ଶିକ୍ଷାପ୍ରଦାନ କରାଯିବ, ଯାହାକି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହ ବିତ୍ତୀୟ ସାକ୍ଷାରତା ବୃଦ୍ଧି କରିବ। ଛାତ୍ରଛାତ୍ରୀ ଭବିଷ୍ୟତରେ ବିତ୍ତୀୟ କ୍ଷେତ୍ରରେ ବିଭିନ୍ନ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ। କଳା, ବିଜ୍ଞାନ, ବାଣିଜ୍ୟ ଓ ବିଭିନ୍ନ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏହି କୋର୍ସ କରିପାରିବେ। କେବଳ କନ୍ଭେନ୍ସନାଲ୍ କ୍ୟାରିୟର ମଧ୍ୟରେ ସୀମିତ ନରହି ଏହା ଛାତ୍ରଛାତ୍ରୀଙ୍କ ପାଇଁ ନୂତନ କ୍ୟାରିୟର ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏଥିସହ ଛାତ୍ରଛାତ୍ରୀ ଭବିଷ୍ୟତରେ ବିଭିନ୍ନ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ସହ ବିଓପିଟି(ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଙ୍ଗ) ଓ ବିଏଫଏସ୍ଆଇ ସେକ୍ଟର ସ୍କିଲ କାଉନସିଲର ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଯାହାଦ୍ବାରା ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିପ୍ କରିବା ସହ ୨୦୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇଥିବା ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।