ଦେଶ- ବିଦେଶ

ଆକ୍ରମଣକାରୀ ଭାବେ ଫଟୋ ହେଲା ଭାଇରାଲ : ଗଲା ଚାକିରି, ଭାଙ୍ଗିଗଲା ବିବାହ

ମୁମ୍ବାଇ: ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପାଇଁ ଭାଙ୍ଗିଗଲା ଯୁବକଙ୍କ ବିବାହ । କେବଳ ବିବାହ ନୁହେଁ, ଯୁବକ ଜଣକ ତାଙ୍କ ଚାକିରି ମଧ୍ୟ ହରାଇଛନ୍ତି । ଏହାକୁ ନେଇ ଏବେ ଯୁବକଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି । ପୋଲିସର ଟିକେ୍ ଭୁଲ ପାଇଁ ଆମ ପୁଅର ଭବିଷ୍ୟତ ନଷ୍ଟ ହୋଇଗଲା । ଏବେ ତାକୁ କିଏ ଝିଅ ଦେବେ ନାହିଁ ବୋଲି କହିଛନ୍ତି ଯୁବକଙ୍କ ପରିବାର ଲୋକେ ।

କିଛି ଦିନ ତଳେ ଅଭିନେତା ସୈଫ୍ ଅଲୀ ଖାନ୍‌ଙ୍କୁ ଜଣେ ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିଲେ । ଏହି ଘଟଣାରେ ମୁମ୍ବାଇ ପୋଲିସ ଛତିଶଗଡ଼ର ଦୁର୍ଗରୁ ୩୧ ବର୍ଷୀୟ ଆକାଶ କନୋଜିଆଙ୍କୁ ସନ୍ଦିଗ୍ଧ ଭାବି ଉଠାଇ ଆଣି ଅଟକ ରଖିଥିଲା । ଏଥିସହ ପଚରାଉଚରା ବି କରିଥିଲା। ତେବେ ଏହାର ଦିନକ ପରେ ସୈଫ୍‌ଙ୍କୁ ଆକ୍ରମଣରେ ଆକାଶଙ୍କ ଭୂମିକା ନ ଥିବା ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା। ମୁମ୍ବାଇ ପୋଲିସର ଏହି ଭୁଲ୍ ତାଙ୍କ ଜୀବନକୁ ପ୍ରଭାବିତ କରିଛି ବୋଲି ଆକାଶ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏନେଇ ଆକାଶ କହିଛନ୍ତି ଯେ, ପୋଲିସର ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନ ଯୋଗୁ ତାଙ୍କର ଚାକିରି ଯିବା ସହ ବିବାହ ପ୍ରସ୍ତାବ ମଧ୍ୟ ଭାଙ୍ଗିଯାଇଛିି। ସୈଫ୍‌ଙ୍କୁ ଛୁରାମାଡ଼ ଘଟଣାରେ ସମ୍ପୃକ୍ତି ନ ଥାଇ ମଧ୍ୟ ପୋଲିସ ତାଙ୍କ ଫଟୋକୁ ଗଣମାଧ୍ୟମରେ ପ୍ରକାଶ କରିଥିଲା । ଫଳରେ ତାଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଓ ଗଣମାଧ୍ୟମରେ ସୈଫଙ୍କ ଆକ୍ରମଣକାରୀ ଭାବେ ଭାଇରାଲ ହେବାରେ ଲାଗିଥିଲା। ସେ ପୂର୍ବରୁ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତେବେ ଏହି ଘଟଣା ପରେ ତାଙ୍କ ଚାକିରି ଚାଲିଯାଇଛିି। ସେହିପରି ଘଟଣା ପୂର୍ବରୁ ତାଙ୍କର ବିବାହ ଠିକ୍ ହୋଇଯାଇଥିଲା। ସୈଫ୍‌ଙ୍କ ଆକ୍ରମଣକାରୀ ହୋଇଥିବା ନେଇ ବହୁଳ ଭାବରେ ପ୍ରଚାରପ୍ରସାର ହେବାରୁ କନ୍ୟା ପକ୍ଷ ପରେ ଉକ୍ତ ବିବାହ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ। ସେହିପରି ଉକ୍ତ ଘଟଣା ପରେ ବନ୍ଧୁ ଓ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ସହ କଥା ହେବାକୁ ଓ ମିଶିବାକୁ ଦ୍ୱିଧା ପ୍ରକାଶ କରୁଥିବା ଆକାଶ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button