ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମନ୍ମଥ ରାଉତରାୟ । ରୋଜାଲିନ୍ ପଟ୍ଟନାୟଙ୍କୁ ବିବାହ କରିଛନ୍ତି ମନ୍ମଥ । ଉଭୟଙ୍କ ପ୍ରେମ ବିବାହ ହୋଇଥିବା କୁହାଯାଉଛି । ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି । ସବୁଠୁ ବଡ଼ କଥା ହେଲା, ମୋନାଲିସା ହେଉଛନ୍ତି ମନ୍ମଥଙ୍କ ପ୍ରଥମ ସ୍ତ୍ରୀ ସୁଚିସ୍ମିତାଙ୍କ ବାନ୍ଧବୀ ।
ରାଜଧାନୀ ଉପକଣ୍ଠ ଡେରାସ ଚନ୍ଦକା ରିସର୍ଟରେ ବେଶ୍ ଆଡମ୍ବର ସହକାରେ ବିବାହ ସମ୍ପନ୍ନ ହୋଇଛି । ସୋମବାର ସନ୍ଧ୍ୟାରେ ରିସର୍ଟର ଅଳ୍ପଦୂରରୁ ବରବେଶରେ ବାହାରିଥିଲେ ମନ୍ମଥ । ତେବେ ବାଜା ରୋଷଣୀ କରି ସାଙ୍ଗରେ ଅଳ୍ପକିଛି ବରଯାତ୍ରୀ ନେଇ ଆସିଥିଲେ ମନ୍ମଥ । ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବରଯାତ୍ରୀରେ ସାମିଲ ହୋଇଥିଲେ । ହେଲେ ବିଜେଡି କିମ୍ବା କଂଗ୍ରେସର କୌଣସି ସଦସ୍ୟ ଯୋଗ ଦେଇ ନ ଥିଲେ । ବିଳମ୍ବିତ ରାତିରେ ଚନ୍ଦକା ରିସର୍ଟରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି । ସେହିପରି ରିସର୍ଟରେ ବିବାହ ସମୟରେ ଫଟୋ ଉଠାଇବା ଉପରେ କଟକଣା ଲଗାଯାଇଥିଲା ।
ବିବାହ ଉତ୍ସବରେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ମାତ୍ର ହାତଗଣତି କିଛି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ । ରୋଜାଲିନ୍ ପେଶାରେ ଜଣେ ବ୍ୟାଙ୍କର ହୋଇଥିବା ବେଳେ ମନ୍ମଥଙ୍କୁ ପ୍ରେମ ବିବାହ କରିଥିବା ଚର୍ଚ୍ଚା ହେଉଛି । ମନ୍ମଥଙ୍କ ପ୍ରଥମ ସ୍ତ୍ରୀ ସୁଚିସ୍ମିତା ମହାପାତ୍ରଙ୍କ ସହିତ ବିବାହ ବିଚ୍ଛେଦ ପରେ ସେ ଏବେ ରୋଜାଲିନଙ୍କୁ ବିବାହ କରିଛନ୍ତି ।