ରାଜ୍ୟ

ମହାନଦୀ ଜଳ ବିବାଦର ଆପୋସ ସମାଧାନ ପ୍ରସଙ୍ଗ: ଏକାଠି ହେଲେ ସବୁ ରାଜନୈତିକ ଦଳ

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଜଳବିବାଦର ଆପୋସ ସମାଧାନ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ତଥା ବିଭିନ୍ନ ସାମାଜିକ ସଂଗଠନ ଓ ବିଶେଷଜ୍ଞ ଯୋଗ ଦେଇଥିଲେ। ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋସ ସମାଧାନ ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଥିଲେ। ଯଦି ସରକାର ସମାଧାନ ଚାହାନ୍ତି, ତେବେ ତୁରନ୍ତ ରାଜ୍ୟର ସମସ୍ତ ରାଜନୈତିକ ଦଳ, ନଦୀ ଆନ୍ଦୋଳନର କର୍ମକର୍ତ୍ତା, ନଦୀ ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଡାକିବାକୁ ପ୍ରସ୍ତାବ ଦିଆଯାଇଛି। ବୈଠକର ସହମତି ଭିତ୍ତିରେ ଛତିଶଗଡ଼ ସହିତ ଆଲୋଚନା କରାଯିବା ଉଚିତ ହେବ ବୋଲି ମତପ୍ରକାଶ ପାଇଛି। ଅଗଷ୍ଟ ଶେଷ ସପ୍ତାହରେ ଛତିଶଗଡ଼ରେ ବୈଠକ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଆପୋସ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କ ପାଖରେ ଓଡ଼ିଶା ସରକାର ଏକ ସର୍ତ୍ତ ରଖିବା ନିହାତି ଦରକାର। ଅଣମୌସୁମୀ ସମୟରେ ମହାନଦୀରେ ୧.୭୪ ଏମ୍‌ଏଏଫ୍ ପାଣି ଓଡ଼ିଶାକୁ ଛାଡ଼ିବା ଆବଶ୍ୟକ। ମହାନଦୀ ଓ ଏହାର ଅବବାହିକାର ସୁରକ୍ଷା ପାଇଁ ସମ୍ବିଧାନର ଧାରା ୧୬୫ ଅନୁଯାୟୀ ମହାନଦୀ ରିଭର ବୋର୍ଡ ଗଠନ ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଏ ନେଇ ଏକ ବୈଷୟିକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ, କେନ୍ଦ୍ର ତଥା କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏଥିରେ ଜଳସମ୍ପଦ ବିଭାଗର ପୂର୍ବତନ ସଚିବ ଅରବିନ୍ଦ ବେହେରା, ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପଞ୍ଚାନନ କାନୁନ୍‌ଗୋ, ପ୍ରସାଦ ହରିଚନ୍ଦନ, ବିଧାୟକ ଗଣେଶ୍ୱର ବେହେରା, କୃଷ୍ଣଚନ୍ଦ୍ର ଜଗଦ୍ଦେବ, ଜୟକୃଷ୍ଣ ପାଣିଗ୍ରାହୀ, ଶୁଭ୍ରାଂଶୁ ରାୟ, ଦେବୀ ପୃଷ୍ଟି, ଅନିଲ ଧୀର, ପ୍ରହଲ୍ଲାଦ ସିଂ, ଅଶୋକ ଦାସ ପ୍ରମୁଖ ସଭ୍ୟ ରହିଥିବା ବେଳେ ସୁଦର୍ଶନ ଦାସ ଆବାହକ ଅଛନ୍ତି। ଏଥିସହ ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସ୍ଥାନ ସୁଖାସୋଡ଼l ପାଖରୁ ପାରାଦୀପ ପର୍ଯ୍ୟନ୍ତ ‘ନଦୀ ଯାତ୍ରା’ ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଆବାହକ ଶ୍ରୀ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାରେ ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ଅରୁଣ କୁମାର ସାହୁ ଓ ଗଣେଶ୍ୱର ବେହେରା, ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ସିପିଏମ୍‌ ନେତା ପ୍ରଦୀପ୍ତ ନାୟକ, ସିପିଏମ୍‌ଏଲ ନେତା ଅଶୋକ ପ୍ରଧାନ, ଫରୱାର୍ଡ ବ୍ଲକ୍‌ ନେତା ଜ୍ୟୋତିରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଏନ୍‌ସିପି ନେତା ବିକ୍ରମ ସ୍ୱାଇଁ, ଆର୍‌ଜେଡି ନେତା ହେମନ୍ତ କୁମାରଙ୍କ ସମେତ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ଶିବାନନ୍ଦ ରାୟ, ମନୋରଞ୍ଜନ ମିଶ୍ର, ନିରୂପମା ପାତ୍ର, ବାସୁଦେବ ଭଟ୍ଟ, ମନୋଜ ଜେନା, ପ୍ରସନ୍ନ ବିଶୋୟୀ, ଅଶୋକ ପାଇକରାୟ, ଚିଦାନନ୍ଦ ଜେନା, ଅକ୍ଷୟ ମଲ୍ଲିକ, ସଚ୍ଚିକାନ୍ତ ପ୍ରଧାନ, ବିଜୟ ପ୍ରଧାନ ଓ ଅରୁଣ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରଭାସିନୀ ରାଉତ ଓ ଦେବୀପ୍ରସାଦ ମହାରଣା ମହାନଦୀ ସଂକ୍ରାନ୍ତ ଗୀତ ପରିବେଷଣ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button