ଆଜି ମେଲାଣି ନେବେ ମାଆ
ଭୁବନେଶ୍ୱର: ସରିଲା ଦଶହରା । ସବୁଆଡ ଲାଗୁଛି ଖାଁ..ଖାଁ..ଶୂନଶାନ । ପୂଜା ମଣ୍ଡପ ଶୂନ୍ୟ ପଡିଛି । ମା’ ଅଛନ୍ତି ହେଲେ ଭିଡ ନାହିଁ । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ମେଲାଣି ନେବେ ମାଆ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣକୁ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ପୂଜା କମିଟି ଯୋଜନା କରିଛନ୍ତି । ନାସିକ ଢୋଲରେ କମ୍ପିବ ରାଜରାସ୍ତା । ମାଆଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମାଆଙ୍କ ଭସାଣ ଉତ୍ସବ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଅପରାହ୍ନରେ ଆରମ୍ଭ ହେବ ଭସାଣି ଯାତ୍ରା । ଭସାଣୀ ଯାତ୍ରା ପାଇଁ ଭୁବନେଶ୍ୱରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭସାଣ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ନ ଉପୁଜିବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ମାଆଙ୍କୁ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ବ୍ୟବସ୍ଥା କରାଯାଇଛି । ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ନଦୀ ନିକଟରେ ପୋଲିସ ମୁତୟନ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିଛନ୍ତି । ଭୁବନେଶ୍ୱରରେ ମୋଟ ୧୮୦ରୁ ଉର୍ଦ୍ଧ୍ୱ ପୂଜା ମେଢ଼ ରହିଛି । କୌଣସି ଯାନାବହନ ବାଣୀବିହାର ପଟୁ ରୁପାଲି ପଟକୁ ଯାଇପାରିବେ ନାହିଁ। କିଟ୍ ଛକ ପଟୁ ନାଲ୍କୋ ଛକ ଆଡ଼କୁ କୌଣସି ଯାନବାହନକୁ ଅନୁମତି ନାହିଁ। ସେହିପରି କଟକରେ କଲେଜ ଛକଆଡୁ ଚାନ୍ଦିନୀଚୌକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟଣା ଜାରି କରିଛି ପ୍ରଶାସନ।