ଦେଶ- ବିଦେଶ

୫୫ ବର୍ଷୀୟ ଗାର୍ଲଫ୍ରେଣ୍ଡଙ୍କ ହାତ ଧରିବେ ଜେଫ୍ ବେଜୋସ୍‌

ନୂଆଦିଲ୍ଲୀ: ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ସେ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କୁ ଜୀବନସାଥୀ କରିବେ । ଏହି ବିବାହ କଲରାଡୋର ଆସ୍ପେନ୍ ସହରରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ଏହି ବିବାହର ମୂଲ୍ୟ ପ୍ରାୟ ୬୦୦ ନିୟୁତ ଡଲାର ଅର୍ଥାତ୍ ୫୦୯୬କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଏହି ବିବାହ ଆସନ୍ତା ୨୮ ତାରିଖରେ ଆୟୋଜିତ ହେବ । ବିବାହର ନିମନ୍ତ୍ରଣ ବିଶ୍ୱର ହାଇ-ପ୍ରୋଫାଇଲ ବ୍ୟକ୍ତିତ୍ୱମାନଙ୍କୁ ପଠାଯାଇଛି । ଜେଫ ବେଜୋସ କେଭିନ୍ କଷ୍ଟନରଙ୍କର ୧୬୦ ଏକରର ରାଞ୍ଚ(ଭିଆଇପି ସୁବିଧା ଥିବା ଫାର୍ମ)କୁ ଭେନ୍ୟୁ ଭାବେ ବାଛିଛନ୍ତି । ପ୍ରି-ୱେଡିଂ ଉତ୍ସବ ଆସ୍ପେନ୍‌ସ୍ଥିତ ସୁଶୀ ରେସ୍ତୋରାଁ ମାତ୍ସୁହିସାରେ ହେବ । ମାତ୍ସୁହିସାକୁ ଡିସେମ୍ବର ୨୬ ଓ ୨୭ ତାରିଖ ଲାଗି ରିଜର୍ଭ କରାଯାଇଛି । ସେଠାରେ ୧୮୦ଜଣ ଅତିଥି ରହିପାରିବା ଭଳି ସୁବିଧା ଅଛି ।

ଏହି ହାଇପ୍ରୋଫାଇଲ୍ ବିବାହରେ ସାମିଲ ହେବା ଲାଗି ଅତିଥିମାନେ ଖ୍ରୀଷ୍ଟମାସ ପରେ ସେଣ୍ଟ ରେଜିସ୍ ସମେତ ଆସ୍ପେନ୍‌ର ପ୍ରମୁଖ ପଞ୍ଚତାରକା ହୋଟେଲ୍‌ରେ ପହଞ୍ଚିବେ । ଅତିଥିଙ୍କ ଲାଗି ସହରର ଆଖପାଖରେ ଥିବା ବଡ଼ ଫାର୍ମହାଉସ୍ ବି ବୁକ୍ ହୋଇଛି । ବିବାହ କାର୍ଯ୍ୟକ୍ରମରେ ଦମ୍ପତିଙ୍କର ପସନ୍ଦକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ବିବାହ କେକ୍ ପ୍ୟାରିସ୍‌ରୁ ଅଣଯାଉଥିବାବେଳେ ହେୟାର ଷ୍ଟାଇଲିଶ୍ ନ୍ୟୁୟର୍କରୁ ଆସିବେ । ବିଶ୍ୱର ପ୍ରସିଦ୍ଧ ମ୍ୟୁଜିକାଲ ବ୍ୟାଣ୍ଡ ଏଥିରେ ସଙ୍ଗୀତ ପରିବେଷଣ କରିବେ । ସାଜସଜ୍ଜାର ଥିମ୍ ରହିଛି ‘ୱିଣ୍ଟର ୱଣ୍ଡରଲ୍ୟାଣ୍ଡ’ । ବିବାହରେ ବେଜୋସ୍ ଓ ସାଞ୍ଚେଜ୍‌ଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ସାମିଲ ହେବେ । ଇଟାଲୀରେ ହୋଇଥିବା ସେମାନଙ୍କର ନିର୍ବନ୍ଧ ପାର୍ଟିରେ ବିଲ୍ ଗେଟ୍‌ସ, ଲିଓନାର୍ଡୋ ଡିକାପ୍ରିଓ, କ୍ରିସ୍ ଜେନର ଅତିଥି ଭାବେ ଯୋଗ ଦେଇଥିଲେ । ତେଣୁ ବିବାହ ଉତ୍ସବରେ ମଧ୍ୟ ସେମାନେ ଅତିଥି ଭାବେ ସାମିଲ ହୋଇପାରନ୍ତି ।

୧୯୬୯ ମସିହା ଡ଼ିସେମ୍ବର ୯ ତାରିଖରେ ନ୍ୟୁ ମେକ୍ସିକୋର ଆଲବୁକକରରେ ଜନ୍ମଗ୍ରହଣ କରିଥିଲେ ଲୌରେନ ସାଞ୍ଚେଜ । ସେ ଜଣେ ସାମ୍ବାଦିକା, ଟିଭି ହୋଷ୍ଟ ଏବଂ ହେଲିକପ୍ଟର ପାଇଲଟ। । ଲୌରେନ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ୨୦୦୫ରେ, ଲୌରେନ ହଲିଉଡ ଏଜେଣ୍ଟ ପାଟ୍ରିକ ୱାଇଟସେଲଙ୍କୁ ବିବାହ କରିଥିଲେ। ୨୦୧୯ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ପାଟ୍ରିକ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ୨୦୧୮ଠାରୁ ଲୌରେନ ଏବଂ ଜେଫ ସମ୍ପର୍କରେ ଅଛନ୍ତି । ୨୦୧୯ମସିହାରେ, ଜେଫ ବେଜୋସ ତାଙ୍କ ସ୍ତ୍ରୀ ମ୍ୟାକେଙ୍କି ସ୍କଟଙ୍କୁ ଛାଡପତ୍ର ଦେଇଥିଲେ। ବେଜୋସଙ୍କର ତିନୋଟି ପୁଅ ଏବଂ ଏକ ପୋଷ୍ୟ କନ୍ୟା ମଧ୍ୟ ଅଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button