ଯୌତୁକ ନେବାକୁ ହାତ ଯୋଡ଼ି ମନା କଲେ, ୧ ଟଙ୍କା ନେଇ କରିଲେ ବିବାହ

ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ଲମ୍ବା ସମୟ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି ବିବାହ ଭାଙ୍ଗିଯାଉଛି ତ କିଏ ଘରୋଇ ହିଂସାର ଶିକାର ହେଉଛି। ହେଲେ ସମାଜରେ ଏଭଳି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯିଏ କି ଯୌତୁକକୁ ନା କହି ଉଦାହରଣ ସାଜିଥାନ୍ତି। ଏବେ ଏକ ଦମ୍ପତି ଯୌତୁକ ପ୍ରଥା ଶେଷ କରିବା ପାଇଁ ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ରାଜସ୍ଥାନର ଦୁଇ ଜଣ ଆଇପିଏସ ଏବଂ ଆଇଏଏସ ଯୋଡ଼ି ଯୌତୁକ ପ୍ରଥା ସମାପ୍ତ କରିବା ପାଇଁ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୧ ଟଙ୍କାରେ ଦୁହିଁଙ୍କ ବିବାହ ଶେଷ ହୋଇଛି। ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ରାଜସ୍ଥାନରେ ଯୌତୁକ ବିରୋଧରେ ବାର୍ତ୍ତା ଦେଉଥିବା ବର ଏବଂ କନ୍ୟା ଆଉ କେହି ନୁହନ୍ତି, ସେମାନେ ହେଲେ ଜଣେ ଆଇପିଏସ ଏବଂ ଆଇଏଏସ ଅଧିକାରୀ। ସୁରତପୁରର ବାସିନ୍ଦା ଆଇପିଏସ୍ ରାଜକୁମାର ମୀନାଙ୍କ ବିବାହ ଭରତପୁର ଜିଲାର ବାସିନ୍ଦା ଆଇଏଏସ୍ ଭାରତୀ ମୀନାଙ୍କ ସହ ହୋଇଛି। ପେସାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ସତ୍ତ୍ୱେ ଆଇପିଏସ୍ ଜଣଙ୍କ ବିବାହ ପାଇଁ ଯୌତୁକ ନେବାକୁ ମନା କରିଦେଇଥିଲେ। ଉଭୟ ପରିବାର ବରଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲେ। ଏହି ବିବାହ ପାଇଁ ଆଇପିଏସ୍ଙ୍କ ବାପା ଝିଅଙ୍କ ଘରୁ ଶୁଭ ଭାବେ ୧ ଟଙ୍କା ଏବଂ ଗୋଟିଏ ନଡ଼ିଆ ନେଇ ବିବାହ ସମ୍ପନ୍ନ କରାଇଥିଲେ । ଯୌତୁକମୁକ୍ତ ବିବାହକୁ ପ୍ରୋତ୍ସାହିତ କରିଥିଲେ।