ଦେଶ- ବିଦେଶ

ସିନେମା ଅଧାରୁ ଉଠି ଆସିଲେ ଫେରି ପାଇବେ ଟଙ୍କା

ନୂଆଦିଲ୍ଲୀ: ନିଜ ପସନ୍ଦର ଗୋଟେ ଫିଲ୍ମ ଦେଖିବାକୁ ଲୋକେ ଶହ ଶହ ଟଙ୍କାରେ ଟିକେଟ୍ କିଣିଥାନ୍ତି । ଏପରିକି ୨-୪ ଘଣ୍ଟାର ଫିଲ୍ମ ପାଇଁ ଅନେକ ସ୍ଥାନରେ ଲୋକମାନେ ହଜାର ହଜାର ଟଙ୍କା ମଧ୍ୟ ଉଡ଼ାଇବାକୁ ପଛାଇ ନ ଥାନ୍ତି । ତେବେ କିଛି ଲୋକ ଅଧିକ ଦାମରେ ଟିକେଟ୍ କିଣିବା ପରେ ବି ଫିଲ୍ମ ଭଲ ନ ଲାଗିଲେ ଅଧାରୁ ହଲ୍ ଛାଡ଼ି ଚାଲି ଆସିଥାନ୍ତି । ପୂର୍ବରୁ ସେମାନେ ଟିକେଟ ଅର୍ଥ ଭରଣା କରିସାରିଥିବାରୁ ଫିଲ୍ମ ଭଲ ଲାଗିବା, ଖରାପ ଲାଗିବା କିଛି ଫରକ ପଡ଼ି ନ ଥାଏ । ଏଣିକି ଫିଲ୍ମ ଅଧାରୁ ଉଠି ଆସିଲେ ଫେରି ପାଇବେ ବଳକା ଟଙ୍କା ।

ଦେଶର ପ୍ରତିଷ୍ଠିତ ଥିଏଟର କମ୍ପାନୀ ଆଇନକ୍ସ ଏବେ ଦର୍ଶକଙ୍କ ପାଇଁ ଏଭଳି ସୁବିଧା ଆଣିବାକୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ‘ପେ ଫର ହ୍ୱାଟ୍ ୟୁ ୱାଚ’ ଅର୍ଥାତ ଆପଣ ଯାହା ଦେଖିଲେ ତା’ର ପଇସା ଦେବେ’ । ଏହାକୁ ଫ୍ଲେକ୍ସି ଶୋ କୁହାଯିବ । ଏହି ନିୟମ ଲାଗୁହେଲେ ଦର୍ଶକମାନେ ଯେ କୌଣସି ସମୟରେ ବି ହଲ ଛାଡ଼ି ଚାଲି ଯାଇପାରିବେ, ଆଉ ଯେତିକି ସମୟ ଫିଲ୍ମ ଦେଖିଥିବେ, କେବଳ ସେତିକି ସମୟର ହିଁ ପଇସା ଦେବେ । ମନୋରଞ୍ଜନ କମ୍ପାନୀ ହିସାବରେ ଏଭଳି ନିୟମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ପିଭିଆର ଆଇନକ୍ସର ସିଇଓ କହିଛନ୍ତି ।

ଏହାର ସଫଳତା ପରେ ଧୀରେଧୀରେ ତାହାକୁ ସାରା ଦେଶରେ ଲାଗୁ କରିବାକୁ ଯୋଜନା କରିଛି କମ୍ପାନୀ । ଏହି ନିୟମ ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ଦିଲ୍ଲୀ ଏନସିଆର ଓ ଗୁରୁଗ୍ରାମ ସ୍ଥିତ ଆଇନକ୍ସର କିଛି ଫିଲ୍ମ ହଲରେ ଚାଲୁଛି । ତେବେ ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଟିକେଟର ମୂଲ୍ୟ ବାଦ୍ ଅତିରିକ୍ତ ୧୦ ପ୍ରତିଶତ ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇଛି । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଫିଲ୍ମର ୫୦ ପ୍ରତିଶତ ଦେଖିଥିବେ, ତେବେ ତାଙ୍କୁ ଅବଶିଷ୍ଟ ୫୦ ପ୍ରତିଶତ ଅର୍ଥ ଫେରସ୍ତ କରାଯିବ । ଏହାଦ୍ୱାରା କମ୍ପାନୀ ଅଧିକରୁ ଅଧିକ ଗ୍ରାହକ ବଢ଼ାଇ ପାରିବ ବୋଲି ଆଶା ରହିଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button