ଦେଶ- ବିଦେଶ

ମିସ୍ ୱାର୍ଲ୍ଡ ୨୦୨୫ ସୋ’ଛାଡିଲେ ମିସ୍ ଇଂଲଣ୍ଡ

ମୁମ୍ବାଇ: ଚଳିତ ବର୍ଷ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ମିସ୍ ୱାର୍ଲ୍ଡ ୨୦୨୫ ଖବରରେ ଅଛି। ପ୍ରତିଯୋଗୀମାନେ ମଞ୍ଚରେ ନିରନ୍ତର ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଏବେ ପ୍ରତିଯୋଗିତାରେ ଏକ ବଡ଼ ବିବାଦ ଦେଖାଦେଇଛି। ମିସ୍ ଇଂଲଣ୍ଡ ମିଲ୍ଲା ମେଗି ହଠାତ୍ ସୋ’ମଝିରୁ ଚାଲିଯାଇଛନ୍ତି।

ଏହା ସହିତ, ୨୪ ବର୍ଷୀୟା ବିୟୁଟି କ୍ବୀନ୍ ମିଲ୍ଲା ପ୍ରତିଯୋଗିତାର ଆୟୋଜକଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କୁ ଜଣେ ଦେହଜୀବୀ ପରି ଅନୁଭବ କରାଯାଇଥିଲା। କେବଳ ଏତିକି ନୁହେଁ, ପ୍ରତିଯୋଗୀମାନଙ୍କୁ ଧନୀ ପୁରୁଷମାନଙ୍କର ‘ମନୋରଞ୍ଜନ’ କରିବାକୁ ବାଧ୍ୟ କରାଯାଇଥିଲା, ଯାହା ସେମାନଙ୍କୁ ଅତ୍ୟନ୍ତ ଅପମାନିତ ଏବଂ ଅସହଜ ଅନୁଭବ କରାଇଥିଲା।

ପେଶାରେ ଜଣେ ଲାଇଫଗାର୍ଡ ଏବଂ ଇଂଲଣ୍ଡର କର୍ଣ୍ଣୱାଲର ନ୍ୟୁକି ସହରର ବାସିନ୍ଦା ମିଲ୍ଲା ମେଗି କହିଛନ୍ତି ଯେ, ପ୍ରତିଯୋଗୀମାନଙ୍କୁ ସବୁବେଳେ ଡିଜାଇନର ଗାଉନ ଏବଂ ଭାରୀ ମେକଅପ୍ ପିନ୍ଧି ରହିବାକୁ ପଡୁଥିଲା।

ସେ କହିଛନ୍ତି, ସକାଳ ଜଳଖିଆ ଠାରୁ ରାତ୍ରିଭୋଜନ ପର୍ଯ୍ୟନ୍ତ, ଆମକୁ ଧନୀ ପୁରୁଷ ପ୍ରାୟୋଜକଙ୍କ ସହିତ ବସି ସେମାନଙ୍କର ମନୋରଞ୍ଜନ କରିବା ସହିତ ଖୁସି ରଖିବାକୁ ପଡୁଥିଲା। ପ୍ରତ୍ୟେକ ଟେବୁଲରେ ଦୁଇଜଣ ଝିଅ ବସୁଥିଲେ, ଏବଂ ଆମକୁ ସନ୍ଧ୍ୟା ସାରା ହସିବାକୁ ପଡୁଥିଲା। ଏହା ଏପରି ଥିଲା ଯେପରି ଆମେ ‘ପ୍ରଦର୍ଶକ ମାଙ୍କଡ଼'(ପରଫର୍ମିଂ ମଙ୍କି)।
ମିସ୍ ଇଂଲଣ୍ଡ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେ ସାମାଜିକ ସମସ୍ୟା ବିଷୟରେ କଥା ହେବାକୁ ଚେଷ୍ଟା କରିଥିଲେ, କେହି ତାଙ୍କର କଥାକୁ ଗମ୍ଭୀରତାର ସହ ନେଇ ନଥିଲେ। ବରଂ, ତାଙ୍କୁ ବିଭିନ୍ନ ଅସହଜ ମନ୍ତବ୍ୟ ଏବଂ ଆଚରଣର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଭାବପ୍ରବଣ ହୋଇ ମିଲ୍ଲା କହିଛନ୍ତି, ମୁଁ ଦୁନିଆରେ ପରିବର୍ତ୍ତନ ଆଣିବା ଏବଂ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଏଠାକୁ ଆସିଥିଲି। କିନ୍ତୁ ମୋତେ ଏକ ନିଜକୁ ଏକ ଭୋଗ୍ୟ ବସ୍ତୁ ପରି ଅନୁଭବ କରାଯାଇଥିଲା। ଏହି ସୋ’ଏବେ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ଏବଂ ଅର୍ଥହୀନ ହୋଇଗଲାଣି। ମିସ୍ ୱାର୍ଲ୍ଡର ୭୪ ବର୍ଷର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ମିସ୍ ଇଂଲଣ୍ଡ ପ୍ରତିଯୋଗିତା ମଝିରୁ ଛାଡି ଦେଇଛନ୍ତି। ତାଙ୍କ ସ୍ଥାନରେ ଏବେ ଇଂଲଣ୍ଡର ରନର୍ସଅପ୍ ଚାର୍ଲୋଟ୍ ଗ୍ରାଣ୍ଟଙ୍କୁ ନିଆଯାଇଛି, ଯିଏ ଆଗକୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ପ୍ରତିକ୍ରିୟା ଦେଇ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଅଧ୍ୟକ୍ଷା ଜୁଲିଆ ମୋର୍ଲି କହିଛନ୍ତି, ୧୬ ମେ’ରେ ମିଲ୍ଲା ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଦର୍ଶାଇ ସୋ’ଛାଡିବାକୁ ଅନୁମତି ମାଗିଥିଲେ। ଆମେ ତାଙ୍କର ଅବସ୍ଥା ବୁଝି ପାରିଥିଲୁ ଏବଂ ବିମାନ ପାଇଁ ବ୍ୟବସ୍ଥା କରିଥିଲୁ। ୟୁକେ ଗଣମାଧ୍ୟମରେ ଏବେ ଯାହା ଆସୁଛି ତାହା ଭ୍ରାମକ ଏବଂ ମିଥ୍ୟା। ନୂଚନାଯୋଗ୍ୟ, ଏହି ସୋ’ରେ, ଭାରତରୁ, ରାଜସ୍ଥାନର କୋଟାର ନନ୍ଦିନୀ ଗୁପ୍ତା ମିସ୍ ୱାର୍ଲ୍ଡ ୨୦୨୫ରେ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଗ୍ରାଣ୍ଡ ଫିନାଲେ ୩୧ ମେ’ରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏବେ ସମସ୍ତଙ୍କ ନଜର ନନ୍ଦିନୀଙ୍କ ପ୍ରଦର୍ଶନ ଉପରେ ରହିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button