ଆସୁଛି ବଡ଼ ବର୍ଷା, ଉପକୂଳରେ ପ୍ରବଳ ଛେଚିବ
ଭୁବନେଶ୍ୱର: ଆଗକୁ ଆସୁଛି ବଡ଼ ବର୍ଷା। ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ଛେର୍ଚିବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବ। ୨୨ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ଲଘୁଚାପ ୨୩ ତାରିଖରେ ଡିପ୍ ଡିପ୍ରେସନରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେବ। ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାଛଡ଼ା ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ସମ୍ବଲପୁର, ସୋନପୁର ଆଦି ଜିଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।
ଏଥିସହିତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଲଘୁଚାପ ଯୋଗୁ ରାଜ୍ୟରେ ୨୨ରୁ ୨୬ ଯାଏ ବର୍ଷା ଲାଗି ରହିବ। ୨୩ରୁ ୨୫ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ପାଣିପାଗ ମଡେଲ ଯାହା କହୁଛି ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି।