ଆଜିଠୁ କାର୍ତ୍ତିକ ବ୍ରତ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼
ପୁରୀ: ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତର୍ିକ ବ୍ରତ। ପୁଣ୍ୟ ମାସ କାର୍ତ୍ତର୍ିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ସେହିପରି ହବିଷିଆଳିମାନେ ବ୍ରତ ପାଳନ ପାଇଁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିସାରିଛନ୍ତି । ସେମାନେ ଗୁରୁବାରଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ।
ପ୍ରଶାସନ ପକ୍ଷରୁ ହବିଷିଆଳିମାନେ ମାଗଣାରେ ରହିବା ଲାଗି ହବିଷିଆଳି ଶିବିରର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି, ସେମାନେ ୪ଟି ହବିଷିଆଳି ଶିବିରରେ ରହିବେ। ସେଠାରେ ହବିଷିଆଳିମାନଙ୍କର ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ବଣ୍ଟନ କରାଯିବ। ବାକି ଯେଉଁମାନେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଭଡ଼ାରେ ଅବା ମଠ, ମନ୍ଦିର ଆଦିରେ ରହି ବ୍ରତ ପାଳନ କରିବେ ।
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷିଆଳିମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯା’ଆସ ଓ ମହାପ୍ରଭୁଙ୍କ ରାଈଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେପଟେ କେଉଁ ଶିବିରରେ କେଉଁ ଜିଲ୍ଲାର ହବିଷିଆଳି ରହିବେ, ତା’ର ସାରଣୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡ ଅକ୍ଷୟପାତ୍ର ଫାଉଣ୍ଡେସନ୍ ଗୃହ, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି।
ହବିଷିଆଳି ଶିବିରରେ ମହାପ୍ରସାଦର ବ୍ୟବସ୍ଥା ସହ ଦୈନିକ ସନ୍ଧ୍ୟାରେ ପ୍ରବଚନ ଓ ଭଜନକୀର୍ତ୍ତନର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ନଗ୍ରହଣ କରିଥାନ୍ତି ବ୍ରତଧାରୀ। ଚଳିତବର୍ଷ ବି ସମାନ ବ୍ୟବସ୍ଥା ଆପଣାଇଛି ପ୍ରଶାସନ। ସକାଳେ ମହାପ୍ରଭୁଙ୍କ ଦର୍ଶନ କରାଇବା ପରେ ଅପରାହ୍ଣ ଅବା ସନ୍ଧ୍ୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।