ଝଡ଼ତୋଫାନରେ ଇଣ୍ଡିଗୋ ବିମାନ: ସୁରକ୍ଷିତ ଅବତରଣ କରାଇଥିଲା ବାୟୁସେନା

ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୨୧୪୨ ବିମାନ ବୁଧବାର ଭୟଙ୍କର କୁଆପଥର ଝଡ଼ ଓ ଅସ୍ଥିରତାର ଶିକାର ହୋଇଥିବା ବେଳେ ପାକିସ୍ତାନ ଏହି ବିମାନକୁ ନିଜ ଆକାଶମାର୍ଗରେ ପ୍ରବେଶ କରିବାକୁ ଦେଇନଥିଲା। ଇଣ୍ଡିଗୋ ବିମାନର ପାଇଲଟ୍ ପାକିସ୍ତାନ ଏଟିସିକୁ ସମସ୍ୟା ଜଣାଇବା ପରେ ପାକିସ୍ତାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ଏଥିପାଇଁ ୨୨୭ ଜଣ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ଏହାପରେ ଭାରତୀୟ ବାୟୁସେନା ବିମାନଟିକୁ ସୁରକ୍ଷିତ ଅବତରଣ କରାଇବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିଥିଲା ଏବଂ ସୁରକ୍ଷିତ ଅବତରଣ ସୁନିଶ୍ଚିତ କରାଯାଇଥିଲା ବୋଲି ଜଣାପଡ଼ିଛି।
ଭାରତୀୟ ବାୟୁସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ନୋଟାମ୍ ଏ୦୨୨୦/୨୫ ଅଧୀନରେ ଭାରତରେ ପଞ୍ଜୀକୃତ ବେସାମରିକ ଏବଂ ସାମରିକ ବିମାନ ପାଇଁ ପାକିସ୍ତାନ ଆକାଶପଥ ବନ୍ଦ ରହିଛି ଏବଂ ଏ ବାବଦ କଟକଣା ବଳବତ୍ତର ରହିଛି। ଏହି ଆଧାରରେ ଲାହୋର ଏଟିସି ଇଣ୍ଡିଗୋ ବିମାନକୁ ନିଜ ବାୟୁସୀମା ବ୍ୟବହାର କରିବାକୁ ଅନୁମତି ଦେଇନଥିଲା।
ଏହାପରେ କୁଆପଥର ଝଡ଼ରେ ଫସିଥିବା ବିମାନର ସୁରକ୍ଷିତ ଅବତରଣ ପାଇଁ ଭାରତୀୟ ବାୟୁସୀମା ତତ୍ପରତା ଦେଖାଇଥିଲା। ବିମାନକୁ ବିକଳ୍ପ ମାର୍ଗ ଦେଇ ଶ୍ରୀନଗର ଅଭିମୁଖେ ନିଆଯାଇଥିଲା। ଭାରତୀୟ ବାୟୁସେନା ନିୟନ୍ତ୍ରଣ ସଂକ୍ରାନ୍ତରେ ପାଇଲଟଙ୍କୁ ‘ରିୟଲ ଟାଇମ କଣ୍ଟ୍ରୋଲ ଭେକ୍ଟର’ ଏବଂ ‘ଗ୍ରାଉଣ୍ଡ ସ୍ପିଡ୍ ଅପଡେଟ୍’ ଦେଇ ସୁରକ୍ଷିତ ଅବତରଣ କରିଥିଲା।
କ’ଣ ଘଟିଥିଲା?
ଇଣ୍ଡିଗୋ ବିମାନଟି ଦିଲ୍ଲୀରୁ ଉଡ଼ାଣ ଭରି ଅମୃତସର ନିକଟରେ ଥିବା ବେଳେ ହଠାତ୍ କୁଆପଥର ମାଡ଼ର ସମ୍ମୁଖୀନ ହୋଇଥିଲା। ପାଇଲଟ୍ ଖରାପ ପାଗ ଦେଖି କିଛି ସମୟ ପାଇଁ ପାକିସ୍ତାନ ଆକାଶପଥକୁ ଯିବା ପାଇଁ ଲାହୋର ଏଟିସି (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ) ଠାରୁ ଅନୁମତି ମାଗିଥିଲେ। ବିମାନ ସମ୍ମୁଖୀନ ହେଉଥିବା ଅସ୍ଥିରତାକୁ ଏଡ଼ାଇବା ପାଇଁ ଇଣ୍ଡିଗୋ ପାଇଲଟ୍ କରିଥିବା ଅନୁରୋଧକୁ ପାକିସ୍ତାନ ଏଟିସି ପ୍ରତ୍ୟାଖ୍ୟାନ କରିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।