ପ୍ରଥମ ଦେଖାରେ ଟିକିଙ୍କୁ ଭଲ ପାଇ ବସିଥିଲେ

ଭୁବନେଶ୍ୱର: ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଏଭରଗ୍ରୀନ୍ ଯୋଡି ହେଉଛନ୍ତି ଉତ୍ତମ ଏବଂ ଅପରାଜିତାଙ୍କ ଯୋଡି । ରିଲ୍ ଦୁନିଆରେ ଏହି ଯୋଡି ଯେତିକି ହିଟ୍, ରିଅଲ୍ ଦୁନିଆରେ ବି ସେତିକି ହିଟ୍ । ତେବେ ଶୁଣିବାକୁ ମିଳେ, ପ୍ରଥମ ଦେଖାରେ ହିଁ ଅପରାଜିତା ତଥା ଟିକିଙ୍କୁ ଭଲ ପାଇ ବସିଥିଲେ ଉତ୍ତମ । ଆଉ ଟିକିଙ୍କୁ ରାଜି କରିବାକୁ ବର୍ଷେ କି ଦୁଇ ବର୍ଷ ନୁହେଁ, ଲାଗି ଯାଇଥିଲା ଦୀର୍ଘ ୫ ବର୍ଷ ।
ଉତ୍ତମ-ଅପରାଜିତାଙ୍କ ଏହି ଯୋଡି ଓଡିଆ ସିନେ ଜଗତର ଅନ୍ୟତମ ଲୋକପ୍ରିୟ ଯୋଡି ଭାବେ ବେଶ ଜଣାଶୁଣା । କୁହାଯାଏ, ଅଶାନ୍ତ ଗ୍ରହ ଫିଲ୍ମର ଯେତେବେଳେ ସୁଟିଂ ଚାଲିଥିଲା, ସେତେବେଳେ ଉତ୍ତମଙ୍କ ସହ ଅପରାଜିତାଙ୍କ ପ୍ରଥମ ଦେଖା ହୋଇଥିଲା । ସେହି ପ୍ରଥମ ଦେଖାରେ ହିଁ ଅପରାଜିତାଙ୍କୁ ମନ ଦେଇ ବସିଥିଲେ ଉତ୍ତମ । ଆଉ ତା ପରେ ପରେ ଅନେକ ଫିଲ୍ମରେ ଉଭୟ ଏକାଠି ଅଭିନୟ କରିଥିଲେ । ଉଭୟଙ୍କ ଯୋଡ଼ିକୁ ବି ଲୋକେ ଖୁବ୍ ପସନ୍ଦ କରିଥିଲେ । ତେବେ ଅପରାଜିତାଙ୍କୁ ବିବାହ ପାଇଁ ରାଜି କରିବାକୁ ଉତ୍ତମଙ୍କୁ ପ୍ରାୟ ୫ ବର୍ଷ ଲାଗିଯାଇଥିଲା । ତେବେ ଉତ୍ତମ କେବେ ବି ଅପରାଜିତାଙ୍କୁ ପ୍ରେମ ନିବେଦନ କରି ନ ଥିଲେ, ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ ।
ଶେଷରେ ଉତ୍ତମଙ୍କ ଏହି ପ୍ରସ୍ତାବରେ ରାଜି ହେଇଥିଲେ ଅପରାଜିତା । ୧୯୮୭ ମସିହା ମେ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ । ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ଆୟୋଜିତ ହୋଇଥିଲା । ଆଉ ବିବାହର ୨ ବର୍ଷ ପରେ, ଅର୍ଥାତ ୧୯୮୯ ମସିହାରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ, ବର୍ତ୍ତମାନର ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ।
ତେବେ ଏକଦା ଫିଲ୍ମ ଅଭିନେତା ହେବା ପାଇଁ କୌଣସି ବି ଯୋଜନା କରି ନ ଥିବା ଉତ୍ତମ, ସମୟର ଚକ୍ରରେ ବନିଯାଇଥିଲେ ଓଲିଉଡ଼ର ସୁପରଷ୍ଟାର । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ତାଙ୍କୁ ଯେତିକି ଲୋକପ୍ରିୟ କରିଥିଲା, ସେତିକି ଘରେ ଘରେ ମଧ୍ୟ ପରିଚିତ କରିଥିଲା । ଆଜି ତାଙ୍କ ଅବର୍ତ୍ତମାନରେ ସାରା ଓଡ଼ିଶା ଆଖିରୁ ଝରୁଛି ଲୁହ ।