ବିସିସିଆଇ ନୂଆ ନିୟମ : ଡ୍ରେସିଂ ରୁମ୍କୁ ପରିବାର ସଦସ୍ୟଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ମାର୍ଚ୍ଚ ୨୨ରେ ଆରମ୍ଭ ହେବ ଆଇପିଏଲ୍ର ୧୮ତମ ସିଜିନ୍ । କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍ । ତେବେ ସିଜିନ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଲାଗୁ କରିଛି ନୂଆ ନିୟମ । ଫଳରେ ପୂର୍ବ ସିଜିନ ଭଳି ଆଉ ଖେଳାଳିଙ୍କୁ ସୁବିଧା ମିଳି ପାରିବ ନାହିଁ ।
ପ୍ରାଇମେରୀ ମୋଡ୍ ଅଫ୍ ଆକ୍ସନ ଅନୁଯାୟୀ ଖେଳାଳିଙ୍କ ସହ ପରିବାର ସଦସ୍ୟଙ୍କ ଉପସ୍ଥିତିକୁ ନେଇ କଠୋର ହୋଇଛି ନିୟମ । ସମସ୍ତ ଖେଳାଳିଙ୍କ ପାଇଁ ଟିମ୍ ବସ୍ରେ ଯାତ୍ରା ବାଧ୍ୟତାମୂଳକ ରହିଛି । ଏହାପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହି ସବୁ ନିୟମ ଲାଗୁ କରିଥିଲା ବିସିସିଆଇ । ଏବେ ଆଇପିଏଲ୍ରେ ମଧ୍ୟ ସମାନ ନିୟମର ଅନୁପାଳନ କରାଯିବ । ଏଣିକି ଆଇପିଏଲ୍ରେ ଆଉ ଅଲଗା ଯାତ୍ରା କରି ପାରିବେ ନାହିଁ କୌଣସି ଖେଳାଳି । ଦୁଇଟି ଗ୍ରୁପ୍ ହୋଇ ଯାତ୍ରା କରି ପାରିବେ । କିନ୍ତୁ ଟିମ୍ ବସ୍ରେ ହିଁ ସମସ୍ତ ଖେଳାଳିଙ୍କୁ ଅଭ୍ୟାସ ପାଇଁ ବା ମ୍ୟାଚ୍ ପାଇଁ ଯାତ୍ରା କରିବାକୁ ହେବ । ଏହାକୁ ନେଇ ସମସ୍ତ ଫ୍ରାଞ୍ଚାଇଜ୍କୁ ଅବଗତ କରାଯାଇଛି ।
ସେହିଭଳି ମ୍ୟାଚ୍ ବେଳେ ବା ମ୍ୟାଚ୍ ପୂର୍ବରୁ ପରିବାର ସଦସ୍ୟଙ୍କ ଉପସ୍ଥିତିକୁ ନେଇ ମଧ୍ୟ କଡ଼ା ନିୟମ ଲାଗୁ କରାଯାଇଛି । ସେମାନେ ମଧ୍ୟ କୌଣସି ଖେଳାଳିଙ୍କ ସହ ଯାତ୍ରା କରି ପାରିବେ ନାହିଁ । ଷ୍ଟାଡିୟମକୁ ଆସିବାକୁ ହେଲେ ସେମାନଙ୍କୁ ଅଲଗା ଯାତ୍ରା କରିବାକୁ ହେବ । ଖେଳାଳିଙ୍କ ପରିବାର ସଦସ୍ୟ ବା ବନ୍ଧୁବାନ୍ଧବ କୌଣସି ଫ୍ରାଞ୍ଚାଇଜ୍ ଡ୍ରେସିଂରୁମ୍ରେ ପ୍ରବେଶ କରି ପାରିବେ ନାହିଁ । ଖାଲି ସେତିକି ନୁହେଁ ଅଭ୍ୟାସ ବେଳେ ଗ୍ରାଉଣ୍ଡ୍କୁ ଯାଇ ପାରିବେ ନାହିଁ । ହସ୍ପିଟାଲିଟି ଏରିଆରେ ରହି ଅଭ୍ୟାସ ଦେଖି ପାରିବେ । ଏଥିପାଇଁ ଆକ୍ରିଡିଏସନ ବା ଅନୁମତି ଦେବେ ଆଇପିଏଲ କର୍ତ୍ତୃପକ୍ଷ । ମ୍ୟାଚ୍ ଦିନ ପୁନର୍ବାର ଅନୁମତି ମିଳିବ ।
ମ୍ୟାଚ୍ ଦିନ ଫିଟ୍ନେସ୍ ଟେଷ୍ଟ ଉପରେ ରୋକ୍ ଲଗାଇଛି ବିସିସିଆଇ । ପୁରସ୍କାର ବିତରଣ ସମାରୋହ ବେଳେ କୌଣସି ଖେଳାଳି ସ୍ଲିବ୍ଲେସ୍ ଜର୍ସି ପିନ୍ଧି ପାରିବେ ନାହିଁ । ଅରେଞ୍ଜ୍ କ୍ୟାପ୍ ଓ ପର୍ପଲ କ୍ୟାପ୍ ପାଇଁ ନିୟମ ବଦଳିଛି । ଅରେଞ୍ଜ୍ କ୍ୟାପ୍ ଓ ପର୍ପଲ କ୍ୟାପ୍ ପାଇଥିବା ଖେଳାଳି ଅତି କମ୍ରେ ମ୍ୟାଚ୍ରେ ଦୁଇ ଓଭର ମ୍ୟାଚ୍ ବେଳେ କ୍ୟାପ ପିନ୍ଧିବେ । ଅନ୍ୟପଟେ ପିଚ୍କୁ ନେଇ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇଛି । ଏଥର ପ୍ରତି ଟିମ୍କୁ ଅଭ୍ୟାସ ପାଇଁ ଦୁଇଟି ନେଟ୍ ସୁବିଧା ଦିଆଯିବ । ଅର୍ଥାତ୍ ଯଦି ଏକା ସମୟରେ ଦୁଇଟି ଦଳ ଅଭ୍ୟାସ କରିବେ ତେବେ ଉଭୟଙ୍କୁ ୪ଟି ପିଚ୍ ମିଳିବ ।
ମ୍ୟାଚ୍ ଦିନ କୌଣସି ଦଳ ଅଭ୍ୟାସ କରି ପାରିବେ ନାହିଁ । କୌଣସି ଦଳ ସମୟ ପୂର୍ବରୁ ଅଭ୍ୟାସ ସାରିଲେ, ଅନ୍ୟ ଦଳ ସେହି ପିଚ୍ ଓ ନେଟ୍କୁ ବ୍ୟବହାର କରି ପାରିବେ ନାହିଁ । ବିସିସିଆଇ କିଛିଟା ନିୟମରେ ପରିବର୍ତ୍ତନ କରିବା ପରେ ଭାରତୀୟ ଦଳ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ଏବେ ଆଇପିଏଲ୍ରେ ମଧ୍ୟ ଏହି ନିୟମ ଲାଗୁ କରାଯାଉଛି । ଏହାଦ୍ୱାରା ଖେଳାଳିଙ୍କ ପ୍ରଦର୍ଶନ କେତେ ପ୍ରଭାବିତ ହେବ ତାହା ଟୁର୍ଣ୍ଣାମେଣ୍ଟ୍ ବେଳେ ଜଣା ପଡ଼ିବ ।