ରାଜ୍ୟ

ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଦେବଗଡ ବନ୍ଦ

ଦେବଗଡ଼: ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ନୂଆବାଲିରୋଇକୁ ସ୍ଥାନାନ୍ତର ହେବା ପରେ ଜନ ଅସନ୍ତୋ‌ଷ ବୃଦ୍ଧି ପାଇବାରେ ଲାଗିଛି। ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଉପଖଣ୍ଡସ୍ତରୀୟ ମେଡିକାଲର ମାନ୍ୟତା ପ୍ରଦାନ କରିବା ପାଇଁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନେଇ ଗତ ୧୨ ତାରିଖ ଦିନ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏହାର ପ୍ରତିବାଦ କରି ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଗୁରୁବାର ସକାଳ ୬ ଘଟିକାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେବଗଡ ବନ୍ଦ କରାଯାଇଛି। ବନ୍ଦ ସମୟରେ ସମସ୍ତ ସରକାରୀ ଓ ବେ‌ସରକାରୀ କାର୍ଯ୍ୟାଳୟ,କୋର୍ଟ, ବିଦ୍ୟାଳୟ, କଲେଜ, ଦୋକାନ ବଜାର ଓ ଯାନବାହାନ ବନ୍ଦ ରହିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ସକାଳେ ସହରର ଟ୍ରାଫିକ ଛକ ନିକଟରେ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ରହି ଦୋକାନ ବଜାର ବନ୍ଦ କରିଥିଲେ। ଏହାପରେ ଆମ୍ବେଦକର ଛକ ଠାରେ ୪୯ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଯାହାଫଳରେ ରାସ୍ତାରେ ବହୁ ଯାନବାହାନ ଅଟକି ରହିଛି।
ଦେବଗଡ ବନ୍ଦ ଯୋଗୁ ବସ୍ ସେବା ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଛି।ସୂଚନା ଅନୁଯାୟୀ,ଗତ ମାସ ୧୧ ତାରିଖରୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ସ୍ଥାନାନ୍ତରିତ କରାଯାଇଥିଲା। ଦେବଗଡ ସହରରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୂରତା ୬କିମି ହୋଇଥିବା‌ବେଳେ ଦୀର୍ଘ ବର୍ଷ ହେବ ସହର ମଧ୍ୟ ସ୍ଥଳରେ ଥ‌ିବା ପୁରୁଣା ମେଡିକାଲ ଉପରେ ନିର୍ଭର କରୁଥିବା ଜନସାଧାରଣ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଙ୍ଗଲ ରାସ୍ତା ହୋଇଥିବାରୁ ମହିଳାମାନଙ୍କ ନିରାପଦ ନଥିବାବେଳେ ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ସେମାନଙ୍କର ସଂପର୍କୀୟମାନେ ଅଯଥା ଖର୍ଚ୍ଚାନ୍ତ ହେଉଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button