ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ କହି ଟ୍ରୋଲ କଲେ କ୍ରିକେଟ୍ ପ୍ରେମୀ

ନୂଆଦିଲ୍ଲୀ: ଫେଲ ମାରିଲା ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ । ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ହାରିବା ନେଇ କରିଥିବା ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୋଇଛି । ଭୁଲ୍ ହୋଇଗଲା ଆଇଆଇଟି ବାବାଙ୍କ ସବୁ ଗଣନା । ଏବେ ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ ଟ୍ରୋଲ କରି ନାକେଦମ କରିଦେଲେଣି ସୋସିଆଲ ମିଡିଆ ୟୁଜର୍ସ । ଭାରତର ବିରାଟ ବିଜୟ ପରେ ଏବଂ କିଙ୍ଗ୍ କୋହଲିଙ୍କ ଦମଦାର ଶତକୀୟ ଇନିଂସ ପରେ ଆଇଆଇଟି ବାବାଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ଯିଏ ଯାହା ପାରିଲା ଲେଖୁଛନ୍ତି । ବାବାଙ୍କୁ ଭଣ୍ଡ କହିବା ସହ ଗାଳି କରୁଛନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । ଏମିିତି କି ବାବାଙ୍କୁ ଦେଶଦ୍ରୋହୀ, ଆତଙ୍କବାଦୀ କହି ତାଙ୍କୁ ପାକିସ୍ତାନ ପଠେଇ ଦେବାକୁ ଟ୍ରୋଲ କରିଛନ୍ତି କ୍ରିକେଟ୍ ପ୍ରେମୀ ।
ଭାରତୀୟ ଷ୍ଟାର ଖେଳାଳୀ ବିରାଟ କୋହଲିଙ୍କୁ ଚାଲେଞ୍ଜ କରିବା ଏବେ ମହଙ୍ଗା ପଡ଼ିଛି ଆଇଆଇଟି ବାବାଙ୍କୁ । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ହାରିଯିବ ବୋଲି ଦାବି କରିଥିଲେ ଅଭୟ ସିଂହ । କହିଥିଲେ ବିରାଟଙ୍କୁ କହିଦିଅ ଯେତେ ଚେଷ୍ଟା କଲେ ବି ଦଳ ହାରିଯିବ । ତାଙ୍କ ପ୍ରଦର୍ଶନ ଏଥର ବି ଭଲ ହେବନି । ସେ ଏହି ମ୍ୟାଚରେ ପ୍ରଭାବ ପକାଇ ପାରିବେନି । କିନ୍ତୁ ବାବାଙ୍କ ଭବିଷ୍ୟବାଣୀ ଓଲଟି ଯାଇଛି । ପାକିସ୍ତାନକୁ ୬ ୱିକଟରେ ହରାଇ ମ୍ୟାଚ୍ ଜିତି ନେଇଛି ରୋହିତ ବାହିନୀ। ଆଉ ଶତକ ମାରି ଏହି ମ୍ୟାଚର ହିରୋ ପାଲଟିଛନ୍ତି ବିରାଟ । ଭାରତର ବିଜୟ ପରେ ଏବେ ଟ୍ରୋଲର ଶୀକାର ହେଉଛନ୍ତି ବାବା । ଯେଉଁ ଲୋକ ଦେଶର ଆତ୍ମସମ୍ମାନକୁ ଦେଖେନି ସେ ଦେଶଦ୍ରୋହୀ ବୋଲି ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଲେଖିଛନ୍ତି ।