ରାଜ୍ୟ

ନୂଆଦିଲ୍ଲୀରେ ଓଡ଼ିଶା ଭବନ ପୁନଃନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୭ ମହଲା କୋଠାରେ ୪୫ଟି ସୁଟ୍‌ ରହିବ

ଭୁବନେଶ୍ବର: ନୂଆଦିଲ୍ଲୀର ଚାଣକ୍ୟପୁରୀରେ ନୂଆ ଓଡ଼ିଶା ଭବନ ନିର୍ମାଣ ହେବ। ପୂର୍ବରୁ ଯେଉଁଠି ଓଡ଼ିଶା ଭବନ ଥିଲା ତାହାକୁ ଭଙ୍ଗା ଯାଇଥିବାବେଳେ ସେଠାରେ ଏହି ନୂଆ ଭବନ ନିର୍ମାଣ କରାଯିବ। ଏହି ଭବନ କାର୍ଯ୍ୟ ଯେପରି ଶୀଘ୍ର ଆରମ୍ଭ ହେବ, ଏହାର କାରୁକାର୍ଯ୍ୟ କିପରି ହେବ ସେନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ପୁନଃନିର୍ମାଣ ହେବାକୁ ଥିବା ଓଡ଼ିଶା ଭବନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବାବେଳେ କହିଛନ୍ତି ଯେ ଏହି ନୂଆ ଭବନରେ ଓଡ଼ିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ ହେବା ଦରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ‌େସହିପରି ଆଉ ବିଳମ୍ବ ନକରି ଯଥାଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରୁ ଜଣାଯାଇଛି ଯେ ସମୁଦାୟ ୪,୭୬୧ ବର୍ଗମିଟର ଅଞ୍ଚଳରେ ଏହା ନିର୍ମାଣ ହେବ। ଜି+୬ ମହଲା ବିଶିଷ୍ଟ ଏହି କୋଠାରେ ମୋଟ୍ ୪୫ଟି ବିଭିନ୍ନ ବର୍ଗର ସୁଟ୍‌ ରହିବ। ଏହାସହ ଆବଶ୍ୟକୀୟ ପାର୍କିଂ ଅଞ୍ଚଳ, ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ରହିବ।

ସେହିଭଳି ଓଡ଼ିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସା ପାଇଁ ମୁମ୍ବାଇ ଯାଉଥିବାରୁ ମୁମ୍ବାଇ ଓଡ଼ିଶା ଭବନରେ ଅଧିକ କୋଠରୀ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ଓଡ଼ିଶାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅଯୋଧ୍ୟା ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡ଼ିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡ଼ିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ କୋଲକାତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ଓ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button