ରାଜ୍ୟ

ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ସେ କହିଛନ୍ତି। ରବିବାର ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଫେରିବା ପରେ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। କହିଥିଲେ ଯେ, ସମୁଦାୟ ୬୨୧୦ ଟି ଆଶ୍ରୟସ୍ଥଳରେ ୮ ଲକ୍ଷରୁ ଅଧିକ ଲୋକ ରହିଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତେ ନିଜନିଜ ଘରକୁ ଫେରିଗଲେଣି। ଯେଉଁ କେତୋଟି ଗ୍ରାମ ପଞ୍ଚାୟତରେ ପାଣି ଜମି ରହିଛି ସେଠିକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି । ମାତ୍ର ୩୦ ହଜାର ଲୋକ ୪୭୦ ଟି ଆଶ୍ରୟସ୍ଥଳୀରେ ଅଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ପ୍ରତିଶତ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି । ସମୁଦାୟ ୨୨ ଲକ୍ଷ ୮୪ ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ୩୨ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ୱଭାବିକ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଭାବିତ ଅଞ୍ଚଳର ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ସଫେଇ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି କ୍ଷେତ୍ରରେ କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲାର ୧୨ ଟି ବ୍ଲକ୍ ର ୮୮୦ ଟି ଗ୍ରାମ ପଞ୍ଚାୟତ ଓ ୪୧୦୦ ଟି ଗ୍ରାମରେ ପ୍ରାୟ ୨ ଲକ୍ଷ ୨୧ ହଜାର ୮୦୦ ଏକର ଚାଷ ଜମିରେ ଫସଲ କ୍ଷତି ହୋଇଛି । ପ୍ରକୃତ ରିପୋର୍ଟ ଆସିବାପରେ ସହାୟତା ଯୋଗାଇ ଦିଆଯିବ । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୩୫ ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ସମୁଦାୟ ୪୮୭୧ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ଅଣାଯାଇଥିଲା। ସେଠାରେ ଏହି ସମୟ ମଧ୍ୟରେ ୨,୫୨୯ ଜଣ ଶିଶୁ ଜନ୍ମ ଗ୍ରହଣ କରିଥିଲେ । ସବୁ ପ୍ରମୁଖ ରାସ୍ତା ଗୁଡିକରୁ ପ୍ରାୟ ସବୁ ଅବରୋଧ ହଟି ସାରିଛି ଏବଂ ବର୍ତ୍ତମାନ ଗମନା ଗମନରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଥିଲେ। ବନ୍ୟା ଭୟ ବର୍ତ୍ତମାନ ଆଉ ନାହିଁ । ବୁଢାବଳଙ୍ଗ ନଦୀ ପୂର୍ବରୁ ବିପଦ ସଂକେତ ଉପରେ ଥିଲା । ତେବେ, ବର୍ତ୍ତମାନ ଜଳସ୍ତର ହ୍ରାସ ପାଇଛି । ଏବେ ଏହା ବିପଦ ସଂକେତ ତଳେ ଅଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button